ବିଶ୍ୱ ସଂକଟର ମୁକାବିଲା ଲାଗି ସାମୂହିକ ପ୍ରୟାସ ନିମନ୍ତେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ ଅନୁରୋଧବିଦେଶୀ ମୁଦ୍ରା ସଂରକ୍ଷଣରେ ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲରାସାୟନିକ ସାର ବ୍ୟବହାର ୫୦ ପ୍ରତିଶତ ହ୍ରାସ ପାଇଁ ଚାଷୀଙ୍କ ନିବେଦନନୂଆଦିଲ୍ଲୀ, ୧୦।୫ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି । ସେ ତାଙ୍କ ଅଭିଭାଷଣରେ ବିଶ୍ୱ ଆର୍ଥିକ ପ୍ରତିବନ୍ଧକ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଅନ୍ତର୍ଜାତୀୟ ସଂଘର୍ଷ କାରଣରୁ ଦେଖା ଦେଇଥିବା ସ୍ଥିତିର ମୁକାବିଲା କରିବା ପାଇଁ ଭାରତକୁ ସାମୂହିକ ପ୍ରୟାସ ଲାଗି ଆହ୍ୱାନ କରିଛନ୍ତି ।ଶ୍ରୀ ମୋଦୀ କହିଛନ୍ତି, ଦେଶପ୍ରେମ କେବଳ ଦେଶ ପାଇଁ ଜୀବନ ବଳିଦାନ ଦେବା ନୁହେଁ, ବରଂ କଷ୍ଟକର ସମୟରେ ଦାୟିତ୍ୱପୂର୍ଣ୍ଣ ଭାବରେ ବଞ୍ଚିବା ଏବଂ ଦେଶ ପ୍ରତି କର୍ତ୍ତବ୍ୟ କରିବାରେ ନିହିତ ରହିଛି । ସେ ନାଗରିକମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ ଅନୁରୋଧ କରିଛନ୍ତି । ଯେଉଁଠାରେ ଉପଲବ୍ଧ ସେଠାରେ ମେଟ୍ରୋ ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରିବାକୁ ସେ ଅପିଲ କରିଛନ୍ତି । ବ୍ୟକ୍ତିଗତ ବାହନ ଆବଶ୍ୟକ ହେବା ସମୟରେ କାର-ପୁଲିଂ ବାଛିବା ତଥା ସାମଗ୍ରୀ ପରିବହନ ପାଇଁ ରେଳ ମାର୍ଗକୁ ବାଛିବାକୁ ସେ ପରାମର୍ଶ ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଯେଉଁଠାରେ ସମ୍ଭବ ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରିବା ଆବଶ୍ୟକ । ଦେଶ ହିତ ପାଇଁ କୋଭିଡ୍ ସମୟର କୌଶଳପୂର୍ଣ୍ଣ ପଦକ୍ଷେପଗୁଡ଼ିକର ପୁନର୍ବାର ଆରମ୍ଭ କରିବାକୁ ସେ ଆହ୍ୱାନ କରିଛନ୍ତି । ଘରୁ କାମ କରିବାର ବ୍ୟବସ୍ଥା, ଅନଲାଇନ୍ ସମ୍ମିଳନୀ ଓ ଆଭାସୀ ବୈଠକ ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଶ୍ରୀ ମୋଦୀ ନାଗରିକମାନଙ୍କୁ ବିଦେଶୀ ମୁଦ୍ରା ସଂରକ୍ଷଣ କରିବାରେ ସାହାଯ୍ୟ କରିବାକୁ କେତେକ ଉପାୟ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଅନାବଶ୍ୟକ ବିଦେଶ ଯାତ୍ରା, ବିଦେଶରେ ଛୁଟି କାଟିବା ଏବଂ ବିଦେଶୀ ବିବାହ ଏଡାଇବାକୁ ସେ ନିବେଦନ କରିଛନ୍ତି । ଭାରତ ଭିତରେ ଘରୋଇ ପର୍ଯ୍ୟଟନ ଏବଂ ଉତ୍ସବ ପାଳନକୁ ବାଛିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି। ବିଦେଶୀ ମୁଦ୍ରା ପ୍ରବାହ ଉପରେ ଚାପ ହ୍ରାସ କରିବା ପାଇଁ ଲୋକଙ୍କୁ ଗୋଟିଏ ବର୍ଷ ଲାଗି ଅନାବଶ୍ୟକ ସୁନା କ୍ରୟରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ । ଜୋତା, ବ୍ୟାଗ ଏବଂ ଆନୁସଙ୍ଗିକ ସାମଗ୍ରୀ ଭଳି ବିଭିନ୍ନ ଦୈନନ୍ଦିନ ବ୍ୟବହାର ସାମଗ୍ରୀ କିଣିବା ସମୟରେ ନାଗରିକମାନେ ଭାରତରେ ନିର୍ମିତ ଏବଂ ସ୍ଥାନୀୟ ଭାବରେ ନିର୍ମିତ ଉତ୍ପାଦଗୁଡ଼ିକୁ ପ୍ରାଥମିକତା ଦେବାକୁ ସେ ଉତ୍ସାହିତ କରିଥିଲେ । ଶ୍ରୀ ମୋଦୀ ସାଧାରଣ ପରିବାରଗୁଡ଼ିକୁ ଖାଇବା ତେଲ ବ୍ୟବହାର ହ୍ରାସ କରିବାକୁ ଅନୁରୋଧ କରିଥିଲେ। ଏହା ଜାତୀୟ ଆର୍ଥିକ ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉଭୟ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।ପ୍ରଧାନମନ୍ତ୍ରୀ ଦେଶର ଚାଷୀମାନଙ୍କୁ ରାସାୟନିକ ସାର ବ୍ୟବହାର ୫୦ ପ୍ରତିଶତ ହ୍ରାସ କରିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ଚାଷୀମାନେ ପ୍ରାକୃତିକ କୃଷି ପଦ୍ଧତି ଆଡକୁ ଅଗ୍ରାଧିକାର ଦିଅନ୍ତୁ। ଏହା ସହିତ ମାଟି ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରନ୍ତୁ । କୃଷିରେ ଡିଜେଲ ପମ୍ପ ବଦଳରେ ସୌରଚାଳିତ ଜଳସେଚନ ପମ୍ପକୁ ବ୍ୟାପକ ଭାବରେ ଗ୍ରହଣ କରିବାକୁ ସେ ଉତ୍ସାହିତ କରିଛନ୍ତି ।
