ଏସ୍‌ବିଆଇ ତରଫରୁ ଏସ୍‌ସିବିର ମେଧାବୀ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍ ପ୍ରଦାନ

ଭୁବନେଶ୍ୱର : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ସର୍କଲ କାର୍ଯ୍ୟାଳୟ ଭୁବନେଶ୍ଵର ତରଫରୁ ଏସ୍‌ସିବି ମେଡିକାଲ କଲେଜର ୧୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏସ୍‌ସିବି ମେଡିକାଲ କଲେଜ କ୍ୟାମ୍ପସ୍ ଶାଖାରେ ଟାବଲେଟ୍ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁସନ୍‌ର ଡିନ୍ ଡଃ. ପ୍ରତିଭା ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଏସ୍‌ସିବି ମେଡିକାଲ କଲେଜରେ ପଢିବା ସୌଭାଗ୍ୟର କଥା ଏବଂ ମେଡିକାଲ କ୍ଷେତ୍ରରେ ଉତ୍କର୍ଷତା ଲାଭ କରି ଛାତ୍ରଛାତ୍ରୀମାନେ ସମାଜକୁ ନିଷ୍ଠାର ସହ ସେବା ଯୋଗାଇ ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ।ଏସ୍‌ବିଆଇ କଟକ ରିଜିଓନାଲ ଅଫିସର ଆଞ୍ଚଳିକ ପ୍ରବନ୍ଧକ ଅସ୍ମିନ୍ ଅନୁପମ ପ୍ରହରାଜ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦାୟକ ଉପଦେଶ ପ୍ରଦାନ କରିଥିଲେ। ସେ ବ୍ୟାଙ୍କ ତରଫରୁ ଆର୍ଥିକ ଦୁର୍ବଳ ଓ ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ବ୍ୟାଙ୍କ ଦ୍ବାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ପ୍ରୟାସରେ ନିରନ୍ତର ସହଯୋଗ କରିବାକୁ ଆଶ୍ୱାସନା ଦେଇଥିଲେ ମୁଖ୍ୟ ପ୍ରବନ୍ଧକ ବିଶ୍ଵଜିତ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏସ୍‌ସିବି ଶାଖାର ସମସ୍ତ କର୍ମଚାରୀଙ୍କ ସମେତ ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟର ଅଧିକାରୀ ନିରଞ୍ଜନ ମହାପାତ୍ର, ବିଜୟ କୁମାର ମହାପାତ୍ର ଏବଂ ସଞ୍ଜିତ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।ଏସ୍‌ବିଆଇର ଏହି ପଦକ୍ଷେପ ଶିକ୍ଷା ପାଇଁ ପ୍ରୋତ୍ସାହନ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ପ୍ରତି ଏହାର ସମର୍ପଣକୁ ପ୍ରତିଫଳିତ କରୁଛି।

Leave a Reply

Your email address will not be published. Required fields are marked *