ପୁରୀ ପୋଲିସ ଦ୍ୱାରା ମେ ୨୦୨୬ ଅପରାଧ ସମୀକ୍ଷା ବୈଠକ
ପୁରୀ ପୋଲିସ ଦ୍ୱାରା ମେ ୨୦୨୬ ଅପରାଧ ସମୀକ୍ଷା ବୈଠକ । ପୁରୀ ପୋଲିସ ଦ୍ୱାରା ମେ ୨୦୨୬ ମାସର ଅପରାଧ ସମୀକ୍ଷା ବୈଠକ ଆଜି ପୁରୀ ଏସ୍ପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ପୁରୀ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଶୀଲ ମିଶ୍ର, ଶ୍ରୀ ଦେବ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ ସହିତ ସମସ୍ତ ସବ୍-ଡିଭିଜନର ଅଧିକାରୀମାନେ, ସମସ୍ତ ଥାନା ଅଧିକାରୀମାନେ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।ଏହି ସମୀକ୍ଷା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗତ ମାସର ଅପରାଧ ପରିସ୍ଥିତିର ସମଗ୍ର ମୂଲ୍ୟାଙ୍କନ କରିବା ସହିତ ଚାଲୁଥିବା ମାମଲାଗୁଡ଼ିକର ତଦନ୍ତ ପ୍ରଗତିକୁ ସମୀକ୍ଷା କରିବା। ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତି, ସମାଜରେ ଅପରାଧ ପ୍ରବଣତା, ତଥା ଅପରାଧ ନିୟନ୍ତ୍ରଣ ପାଇଁ ଗ୍ରହୀତ ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତ୍ୟେକ ଥାନାର କାର୍ଯ୍ୟଦକ୍ଷତା, ମାମଲା ରଜିଷ୍ଟ୍ରେସନ, ତଦନ୍ତ ଗତି, ଚାର୍ଜଶିଟ ଦାଖଲ ଓ ନ୍ୟାୟାଳୟରେ ମାମଲାର ପ୍ରଗତି ଆଦି ବିଷୟରେ ତଥ୍ୟାଧାରିତ ସମୀକ୍ଷା କରାଯାଇଥିଲା।ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ ବୈଠକରେ ସମସ୍ତ ଥାନା ଅଧିକାରୀଙ୍କୁ ଅପରାଧ ନିୟନ୍ତ୍ରଣକୁ ଶୀର୍ଷ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ନିଦେଶ ଦେଇଥିଲେ। ସେ ତଦନ୍ତର ଗୁଣତ୍ୱ ବୃଦ୍ଧି, ସମୟୋପଯୋଗୀ ଚାର୍ଜଶିଟ ଦାଖଲ ଓ ଦୃଢ ସାକ୍ଷ୍ୟ ସଂଗ୍ରହ ଉପରେ ବିଶେଷ ଜୋର ଦେଇଥିଲେ। ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରିବାକୁ ଉତ୍ସାହିତ କରି, DNA ସଂଗ୍ରହ ପ୍ରକ୍ରିୟା, ଫୋରେନ୍ସିକ ସାହାଯ୍ୟ, e-Sakhya ପ୍ରଣାଳୀର କାର୍ଯ୍ୟକ୍ଷମ ବ୍ୟବହାର ଓ ଡିଜିଟାଲ ସାକ୍ଷ୍ୟ ସଂଗ୍ରହକୁ ଆହୁରି ମଜବୁତ କରିବା ପାଇଁ ନିଦେଶ ଦେଇଥିଲେ। ସେହିପରି ଆଧୁନିକ ପୋଲିସିଂ ପ୍ରଣାଳୀକୁ ସକ୍ରିୟ କରିବା ପାଇଁ ସିସିଟିଭି ମନିଟରିଂ ସିଷ୍ଟମ୍, ସାଇବର ଟୁଲ୍, ଡିଜିଟାଲ ତଦନ୍ତ ପ୍ରଣାଳୀ ଓ ଡାଟା ଆନାଲିସିସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅପରାଧ ପ୍ରବଣ ଅଞ୍ଚଳଗୁଡ଼ିକରେ ନିୟମିତ ପ୍ୟାଟ୍ରୋଲିଂ, ନକାବନ୍ଦୀ, ଚେକିଂ ଓ ଇଣ୍ଟେଲିଜେନ୍ସ ସଂଗ୍ରହକୁ ଶକ୍ତିଶାଳୀ କରିବାକୁ ସେ ନିଦେଶ ଦେଇଥିଲେ। ବୈଠକରେ ପୁରୀ ଜିଲ୍ଲାର ବିଶେଷ ପରିସ୍ଥିତିକୁ ମନେ ରଖି ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ସୁବିଧା ଉପରେ ବିଶେଷ ଆଲୋଚନା ହୋଇଥିଲା। ପୁରୀ ଏକ ବିଶ୍ୱପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ହେବାରୁ ଦେଶ ବିଦେଶରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ସୁରକ୍ଷିତ ଓ ସୁବିଧାଜନକ ପରିବେଶ ସୃଷ୍ଟି କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ଆସନ୍ତା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପର୍ବକୁ ମନେ ରଖି ପୂର୍ବ ପ୍ରସ୍ତୁତି ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।

ଫୋର୍ସ ବ୍ୟବସ୍ଥାପନା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପ୍ଲାନିଂ, ସୁରକ୍ଷା ବ୍ୟବସ୍ଥା ଓ ଆପତ୍କାଳୀନ ପ୍ରତିକ୍ରିୟା ପ୍ରଣାଳୀକୁ ଶୃଙ୍ଖଳାବଦ୍ଧ ଭାବରେ କାର୍ଯ୍ୟକ୍ଷମ କରିବାକୁ ନିଦେଶ ଦିଆଯାଇଥିଲା। ସମସ୍ତ ବିଭାଗ ସହ ସମନ୍ୱୟ ରଖି ସଫଳ ଓ ସୁଚାରୁ ଆୟୋଜନ ପାଇଁ ପ୍ରସ୍ତୁତ ରହିବାକୁ ଉଲ୍ଲେଖ କରାଯାଇଥିଲା। ଜରୁରୀ ସେବା ‘୧୧୨’ର କାର୍ଯ୍ୟକ୍ଷମତା ବୃଦ୍ଧି, ଦ୍ରୁତ ପ୍ରତିକ୍ରିୟା ସମୟ ନିଶ୍ଚିତ କରିବା ଓ ଜନସାଧାରଣଙ୍କ ଆଶାକୁ ପୂରଣ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କମ୍ୟୁନିଟି ପୋଲିସିଂକୁ ଆହୁରି ସକ୍ରିୟ କରି ଲୋକମାନଙ୍କ ସହ ପୋଲିସର ସମ୍ପର୍କକୁ ମଜବୁତ କରିବାକୁ ନିଦେଶ ଦିଆଯାଇଥିଲା। ସମସ୍ତ ପୋଲିସ କର୍ମଚାରୀଙ୍କୁ ସମ୍ମାନପୂର୍ଣ୍ଣ, ସହାନୁଭୂତିଶୀଳ ଓ ସହଜ ବ୍ୟବହାର ରଖିବାକୁ ପରାମର୍ଶ ଦିଆଯାଇଥିଲା।ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ଜଣାଇଥିଲେ ଯେ ଜନସାଧାରଣଙ୍କ ବିଶ୍ୱାସ ହେଉଛି ପୋଲିସ ବ୍ୟବସ୍ଥାର ସବୁଠୁ ବଡ଼ ଶକ୍ତି। ସେହିପରି ପୋଲିସ କର୍ମଚାରୀମାନଙ୍କ କଳ୍ୟାଣ, ସୁବିଧା, ମନୋବଳ ବୃଦ୍ଧି ଓ ସେବାର ଗୁଣତ୍ୱ ଉନ୍ନତି ପାଇଁ ପ୍ରୟାସ ଜାରି ରହିବ ବୋଲି ସେ ଆଶ୍ୱାସନ ଦେଇଥିଲେ। ଶେଷରେ ସେ ସମସ୍ତ ଅଧିକାରୀଙ୍କୁ ଟିମ୍ୱର୍କ ମାଧ୍ୟମରେ କାମ କରି ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଆହୁରି ମଜବୁତ କରିବା ସହ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ସମାଜ ଗଠନ ପାଇଁ ସମୁହିକ ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ।
