ଆଇପିଏଲ-୨୦୨୩ : ଆଜି ହାଇଦ୍ରାବାଦ୍‌-ମୁମ୍ବାଇ ମୁକାବିଲା, ଜାଣନ୍ତୁ କାହା ପଲ୍ଲା ଭାରି

ହାଇଦ୍ରାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ରେ ଆଜି ୨୫ ତମ ମ୍ୟାଚ୍‌ରେ ଘରୋଇ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ସନ୍ଧ୍ୟା ୭ଟା ୩୦ମିନିଟ ସମୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡ଼ିଅମରେ ଖେଳାଯିବ । ଫଳରେ ଏହି ମ୍ୟାଚରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ।
ପୂର୍ବରୁ ଉଭୟ ଦଳ ପରସ୍ପରକୁ ୧୯ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ଟି ଜିତିଥିବା ବେଳେ ସନରାଇଜର୍ସ ୯ଟି ମ୍ୟାଚ୍‌ ଜିତିଛନ୍ତି । ଗତ ସିଜନରେ ଉଭୟ ଦଳ ମଧ୍ୟରେ ଥରେ ମାତ୍ର ଭେଟ ହୋଇଥିଲା । ସନରାଇଜର୍ସ ଉକ୍ତ ମ୍ୟାଚ୍‌କୁ ୩ ରନ୍‌ରେ ଜିତିଥିଲା ।

ଭାରତୀୟ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିଥିଲା ବେଳେ ତାଙ୍କ ଦଳ ୫ ଥର ଆଇପିଏଲ୍‌ ବିଜେତା ମୁମ୍ବାଇ ବିଜୟ ଧାରାକୁ ବଜାୟ ରଖିବା ଲାଗି ମଙ୍ଗଳବାର ହାଇଦ୍ରାବାଦକୁ ହରାଇବାକୁ ଜୋରଦାର ଚେଷ୍ଟା କରିବ । ମୁମ୍ବାଇ ଓ ହାଇଦ୍ରାବାଦ ପ୍ରତିଯୋଗିତା ଆରମ୍ଭରୁ ୨ ଲେଖାଏଁ ପରାଜୟ ପରେ ଲଗାତାର ୨ ଲେଖାଏଁ ବିଜୟ ପାଇଛନ୍ତି। ଉଭୟ ଦଳ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ମୁମ୍ବାଇ ରନ୍‌ ରେଟ୍‌ରେ ଆଗରେ ରହି ଟେବୁଲର ଅଷ୍ଟମ ଏବଂ ହାଇଦ୍ରାବାଦ ନବମରେ ରହିଛି। ରବିବାର ଫର୍ମରେ ନଥିବା ସୂର୍ଯ୍ୟକୁମାର ୨୫ ବଲ୍‌ରେ ୪୩ ରନ୍‌ର ପାଳି ଖେଳି ଦଳକୁ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ରେ ସଂଘର୍ଷ କରିଥିବା ମୁମ୍ବାଇ ଦଳରେ ଏବେ ସୁନ୍ଦର ସନ୍ତୁଳନ ଦେଖିବାକୁ ମିଳିଛି। ତିଲକ ବର୍ମା ଭଲ କରୁଥିଲା ବେଳେ କାମେରୁନ୍‌ ଗ୍ରିନ ଓ ‌ଟିମ୍‌ ଡେଭିଡଙ୍କ ପ୍ରଦର୍ଶନ ମଧ୍ୟ ଠିକ୍‌ ରହୁଛି। ବୋଲିଂରେ ଅଭିଜ୍ଞ ପୀୟୂଷ ଚାୱଲାଙ୍କ ସହ ହ୍ରିତିକ ସୋକିନ ସ୍ପିନ୍‌ରେ ବିପକ୍ଷ ବ୍ୟାଟର୍‌କୁ ବାନ୍ଧି ରଖିପାରୁଛନ୍ତି। ‌ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତରେ ରିଲେ ମେରେଡିଥ ଦ୍ରୁତ ବୋଲିଂ ୟୁନିଟ୍‌ ସମ୍ଭାଳୁଛନ୍ତି। ଅର୍ଜୁନ ତେନ୍ଦୁଲକର ଓ ଡୁଆନ୍‌ ଜାନସେନ ରବିବାର ଆଇପିଏଲ୍‌ ପଦାର୍ପଣ ସୁଯୋଗ ପାଇଥିଲେ।

ଅନ୍ୟପକ୍ଷରେ ହାଇଦ୍ରାବାଦକୁ ଗତ ଦୁଇ ମ୍ୟାଚ୍‌ରେ ବିଜୟ‌ ଦେବାରେ ପ୍ରମୁଖ ଭୂମିକା ନେଇଥିବା ହାରି ବ୍ରୁକ୍‌ ଓ ଅଭିଷେକ ତ୍ରିପାଠୀ ନୂଆ ହିରୋ ଭାବେ ଉଭା ହୋଇଛନ୍ତି। କେକେଆର୍‌ ବିପକ୍ଷରେ ବ୍ରୁକ୍‌ ୫୫ ବଲ୍‌ରେ ୧୦୦ ରନ୍‌ ଏବଂ ପଞ୍ଜାବ ବିପକ୍ଷରେ ତ୍ରିପାଠୀ ୪୮ ବଲ୍‌ରେ ୭୪ ରନ୍‌ର ବିଜୟୀ ପାଳି ଖେଳିଥିଲେ। ଅଧିନାୟକ ଏଦେନ ମର୍କରାମ ଏହି ଦୁଇ ମ୍ୟାଚ୍‌ରେ ୫୦ ଓ ୩୭ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ବୋଲିଂରେ ସ୍ପିନର ମୟଙ୍କ ମାର୍କଣ୍ଡେ (୬ ୱିକେଟ୍‌) ଦଳର ସର୍ବୋଚ୍ଚ ୱିକେଟ୍‌ ହାସଲକାରୀ ହୋଇଥିଲା ବେଳେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ ଓ ଭୁବନେଶ୍ବର କୁମାର ମଧ୍ୟ ବିପକ୍ଷ ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇବାର ସମ୍ଭାବନା ରହିଛି। ମଙ୍ଗଳବାର ଦୁଇ ଜାନସେନ ଭ୍ରାତା ଡୁଆନ ଓ ମାର୍କୋ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି। ଯଦି ଉଭୟ ନିଜ ନିଜ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ ଏହି ଲ‌ଢ଼େଇ ଦେଖି‌ବାକୁ ମିଳିବ।

ସନରାଇଜର୍ସ ସମ୍ଭାବ୍ୟ ଦଳ : ମୟଙ୍କ ମାର୍କଣ୍ଡେ, ହ୍ୟାରୀ ବ୍ରୁକ୍‌, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ(ଅଧିନାୟକ), ଅଭିଷେକ ଶର୍ମା, ହେନରିକ କ୍ଲାସେନ, ୱାସିଂଟନ ସୁନ୍ଦର, ମାର୍କୋ ଜାନସେନ, ମୟଙ୍କ ମାର୍କଣ୍ଡେ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ ।

ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଦଳ : ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କାମେରନ ଗ୍ରୀନ, ନେହାଲ ୱଧେରା, ଟିମ ଡେଭିଡ୍‌, ହ୍ରିତିକ ସୋକିନ, ପିୟୂଷ ଚାୱଲା, ରିଲି ମେରେଡିଥ୍‌, ଡୁଆନ ଜାନସେନ/ ଜାସନ ବେହରନଡର୍ଫ ।

Leave a Reply

Your email address will not be published. Required fields are marked *