ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ ।

ଭୁବନେଶ୍ୱର, ସେପ୍ଟେମ୍ବର ୨୦, ୨୦୨୬ଯାତ୍ରୀ ଓ ରେଳ କର୍ମଚାରୀମାନଙ୍କ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ରେଳ ଷ୍ଟେସନ ଓ ରେଳ କଲୋନୀଗୁଡ଼ିକରେ ପାନୀୟ ଜଳର ଗୁଣବତ୍ତା ଓ ସ୍ୱଚ୍ଛତା ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।୧୮ ଅଗଷ୍ଟରୁ ୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ୱତନ୍ତ୍ର ୧୫ ଦିନିଆ ଅଭିଯାନ ପରେ ମଧ୍ୟ ନିରନ୍ତର ଭାବେ ଜଳର ଗୁଣବତ୍ତା ଯାଞ୍ଚ କରାଯାଉଛି। ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥର ୧୭୫ଟି ରେଳ ଷ୍ଟେସନ ଓ ୧୬୦ଟି ରେଳ କଲୋନୀଗୁଡ଼ିକରେ ବ୍ୟାପକ ଜଳ ଗୁଣବତ୍ତା ଯାଞ୍ଚ କରାଯାଇଥିଲା। ମୋଟ ୧,୦୩୭ଟି ରେସିଡ୍ୟୁଆଲ୍ କ୍ଲୋରିନ୍ ପରୀକ୍ଷଣ ଏବଂ ୨୮୮ଟି ବ୍ୟାକ୍ଟେରିଓଲୋଜିକାଲ୍ (ଜୀବାଣୁ ସମ୍ବନ୍ଧୀୟ) ପରୀକ୍ଷଣ କରାଯାଇଥିଲା।ଏହି ଅଭିଯାନ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର ଓ ରାୟଗଡ଼ା—ତିନୋଟି ଯାକ ମଣ୍ଡଳରେ କାର୍ଯ୍ୟକାରୀ କରାଯାଇଥିଲା।

ଅନୁଧ୍ୟାନ ସମୟରେ, ପ୍ରାରମ୍ଭିକ ଭାବେ ସାତୋଟି ବ୍ୟାକ୍ଟେରିଓଲୋଜିକାଲ୍ ନମୁନା ମାନଦଣ୍ଡ ଅନୁଯାୟୀ ନଥିବା ଜଣାପଡ଼ିଥିଲା। ତେବେ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ ପୁନଃ ପରୀକ୍ଷଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ସମସ୍ତ ସାତଟିଯାକ ନମୁନା ନିର୍ଦ୍ଧାରିତ ମାନଦଣ୍ଡ ଓ ନିୟମାବଳୀ ଅନୁଯାୟୀ ଠିକ୍ ଥିବା ସ୍ପଷ୍ଟ ହୋଇଥିଲା ।ପୂର୍ବତଟ ରେଳପଥ ନିୟମିତ ବ୍ୟବଧାନରେ ଏବଂ ଅଚାନକ (surprise) ଜଳ ପରୀକ୍ଷଣ ସହିତ ପାଣି ଟାଙ୍କି, ୱାଟର କୁଲର ଏବଂ ଷ୍ଟେସନ୍ ସୁବିଧାଗୁଡ଼ିକର ନିୟମିତ ସଫେଇ କାର୍ଯ୍ୟ ଜାରି ରଖିଛି। ଏହା ବ୍ୟତୀତ, ନିୟମିତ ତତ୍ତ୍ୱାବଧାନରେ ଷ୍ଟେସନ୍ ପରିସର, ପ୍ରତୀକ୍ଷାଳୟ, ଶୌଚାଳୟ ଏବଂ ନାଳିଗୁଡ଼ିକର ସଫେଇ ପାଇଁ ଦୈନିକ ସ୍ୱଚ୍ଛତା ଅଭିଯାନ ମଧ୍ୟ ପରିଚାଳିତ ହେଉଛି।

Leave a Reply

Your email address will not be published. Required fields are marked *