କେଉଁଦିନ ପାଳିବେ ଦୀପାବଳି
କେଉଁଦିନ ପାଳିବେ ଦୀପାବଳି ??? କେଉଁଦିନ ବଡବଡୁଆ ଡାକିବେ ??? ୮ ତାରିଖ ନା ୯ ତାରିଖ ??? ଯାହାକୁ ନେଇ ଦ୍ୱନ୍ଦ ଦେଖାଦେଇଥିବା ବେଳେ ବିଭିନ୍ନ କ୍ୟାଲେଣ୍ଡର ଓ ଶ୍ରୀମନ୍ଦିରର ସ୍ୱୀକୃତିପ୍ରାପ୍ତ ପଞ୍ଜିକାରେ ରହିଛି ଭିନ୍ନ ମତ। ଆସନ୍ତା ୯ ତାରିଖ ସୋମବାର ଦିନ ଶ୍ରୀମନ୍ଦିରରେ ଅମାବାସ୍ୟା ପାଳନ ହେବ ବୋଲି ଶ୍ରୀମନ୍ଦିର ପାଞ୍ଜିରେ ଉଲ୍ଲେଖ ରହିଛି। କିନ୍ତୁ ଆସନ୍ତା ୮ ତାରିଖ ରବିବାରରେ ଦିନ ୧୧.୧0 ମିନିଟ୍ ଠାରୁ ଅମାବାସ୍ୟା ତିଥି ଆରମ୍ଭ ହୋଇ ୯ ତାରିଖ ସୋମବାର ଦିନ ୧୨.୩୬ ମିନିଟ୍ ପର୍ଯ୍ୟନ୍ତ ରହିବ। ତେଣୁ ଦୁଇଦିନ ଅମାବାସ୍ୟା ସହ ଶ୍ରୀମନ୍ଦିର ନୀତିକାନ୍ତି ଓ ଜ୍ୟୋତିଷ ଶାସ୍ତ୍ରର ତିଥି ଅନୁସାରେ ଦୀପାବଳି ପାଳନ କରିବାକୁ ମତ ଦେଇ ସାଧାରଣ ଲୋକଙ୍କ ଦ୍ୱନ୍ଦ ଦୂର କରିଛନ୍ତି ବରିଷ୍ଠ ଜ୍ୟୋତିର୍ବିଦ ଓ ପଞ୍ଜିକାର। ଶ୍ରୀମନ୍ଦିରରେ ସୁଯ୍ୟ ଉଦୟ ପର୍ବ ହିସାବରେ ନୀତି ପାଳନର ଵିଧି ରହିଥିବାରୁ ୯ ତାରିଖ ସୋମବାର ଦିନ ଶ୍ରୀମନ୍ଦିରରେ ଅମାବାସ୍ୟା ଓ ସାଗର ବିଜେ ନୀତି ପାଳନ କରାଯିବ। ମାତ୍ର ଗଣନା ଶାସ୍ତ୍ର ଅନୁସାରେ ୮ ତାରିଖ ରବିବାର ଦିନ ଦ୍ବିପହର ପରେ ଶ୍ରାଦ୍ଧ କରିବା ସହ ସନ୍ଧ୍ୟା ପରଠାରୁ ଦୀପଦାନ ସହ ବଡ଼ବଡୁଆ ଡାକିବା ପାଇଁ ପଞ୍ଜିକାର ମାନେ ମତ ରଖିଛନ୍ତି।

ତେବେ ପୟାଶ୍ରାଦ୍ଧ ବଡବଡୁଆ ଡାକକୁ ନେଇ ଦ୍ୱନ୍ଦ ରହୁଥିବାରୁ ଉଭୟ ୮ ତାରିଖ ଓ ୯ ତାରିଖରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପୟାଶ୍ରାଦ୍ଧ ପାଳନ ପାଇଁ ପ୍ରସ୍ତୁତ ରହିଛି ପୋଲିସ ପ୍ରଶାସନ। ହଜାର ହଜାର ଶ୍ରଦ୍ଧାଳୁ କାଉଁରିଆ କାଠି ଜାଳି ବଡବଡୁଆ ଡାକିବାକୁ ଥିବାରୁ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସିଂହଦ୍ଵାର ନିକଟରେ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,, ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି କହିଛନ୍ତି ଏସପି ପ୍ରତୀକ୍ ସିଂ । ସେହିପରି ଏମାରମଠ ନିକଟରେ ବଡବଡୁଆ ଡାକ ପାଇଁ ଚାରିଗୋଟି ବ୍ୟାରିକେଡ୍ ବକ୍ସ ମଧ୍ୟରେ କାଉଁରିଆ କାଠି ଶ୍ରଦ୍ଧାଳୁ ମାନେ ଜାଳିବାକୁ ଥିବାରୁ ଯେଭଳି କୌଣସି ଅଗ୍ନିକାଣ୍ଡ ନ ଘଟେ ସେଥିପାଇଁ ଅଗ୍ନିଶମ ବାହିନୀ ମଧ୍ୟ ମୁତୟନ ରହିବେ। ପ୍ରତିବର୍ଷ ଦୀପାବଳି ଅବସରରେ ପୟାଶ୍ରାଦ୍ଧ ପାଳନ ଏବଂ ବଡ଼ବଡୁଆ ଡାକ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀମନ୍ଦିର ସିଂହଦ୍ଵାରରେ ଏକାଠି ହୋଇଥିବାରୁ ସବୁକିଛି ଶୃଙ୍ଖଳିତ କରିବାକୁ ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଛନ୍ତି।
