ସଶକ୍ତ ବିଜ୍ଞାନ ସଶକ୍ତ ଦେଶ
ଓଡିଶା ବିଜ୍ଞାନ ମଣ୍ଡଳ ଆନୁକୂଲ୍ଯରେ ରାଜ୍ୟସ୍ତରୀୟ ବିଦ୍ଯାର୍ଥୀ ବିଜ୍ଞାନ ମନ୍ଥନ ଶିବିରରେ ଭୁବନେଶ୍ବର ଆଇ ଆଇ ଟିର ଡାଇରେକ୍ଟର ପ୍ରଫେସର ଶ୍ରୀପ୍ରସାଦ କର୍ମାଲକର ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ସଶକ୍ତ ବିଜ୍ଞାନ ହିଁ ସଶକ୍ତ ଦେଶ ଗଠନର ଚାବିକାଠି ବୋଲି ପ୍ରକାଶ କରିଛନ୍ତି। ଖୋରଧା , ଟାଙ୍ଗିଆପଡା ସ୍ଥିତ ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସଡ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ଶିବିରର ସମାରୋପ କାର୍ଯ୍ଯକ୍ରମରେ ଉପସ୍ଥିତ ରହି ଶ୍ରୀ କର୍ମାଲକର ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନଙ୍କୁ ବିଜ୍ଞାନ ଶିକ୍ଷା ଓ ଇଞିନିୟରିଂ ଶିକ୍ଷା କେମିତି ପ୍ରତ୍ୟେକ ଦେଶକୁ ଉତ୍କର୍ଷର ପହଞ୍ଚାଇ ପାରେ ସେ ବିଷୟରେ ଆଲୋକପାତ କରିଥିଲେ। ଏକ ଦିବସୀୟ ବ୍ଯାପୀ ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ଏକଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ବିଜ୍ଞାନର ବିଭିନ୍ନ ବିଭାଗରେ ଲିଖିତ ପରୀକ୍ଷା ସହିତ ମୌଖିକ ପରୀକ୍ଷା ଏବଂ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି ଓ ଗଣିତ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏକ ବାରଜଣିଆ ପରୀକ୍ଷକ ମଣ୍ଡଳୀ ପିଲାମାନଙ୍କର ସମସ୍ତ ପରୀକ୍ଷାର ମୂଲ୍ୟାଙ୍କନ କରି କୃତକାର୍ଯ୍ଯ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ନାମ ଘୋଷଣା କରିଥିଲେ। ଶ୍ରୀ ସୌଭାଗ୍ୟ ସ୍ବାଇଁ, ଶ୍ରୀ ଲିଙ୍ଗରାଜ ପ୍ରଧାନ, କିଶୋର ପାତ୍ର ପ୍ରମୁଖ ପରୀକ୍ଷା ସମ୍ପନ୍ନ କରିଥିଲେ। କିଟ୍ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡଃ ଗୋପାଳକୃଷ୍ଣ ଚୌଧୁରୀ ବିଜ୍ଞାନ ଭାରତୀ ତରଫରୁ କେନ୍ଦ୍ରୀୟ ପର୍ଯ୍ଯବେକ୍ଷକ ଭାବରେ ଯୋଗଦାନ କରିଥିଲେ। ବିପିୟୁଟିର ପୂର୍ବତନ ଭିସି ତଥା ଓଡିଶା ବିଜ୍ଞାନ ମଣ୍ଡଳର ସଭାପତି ଡଃ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଜିର ସମାରୋପ ଅଧିବେଶନରେ ସମ୍ମାନିତ ଅତିଥି ଭାବରେ ନାଇଜରର ରେଜିଷ୍ଟାର ଡଃ ଅଭୟ ନାୟକ ଯୋଗଦାନ କରିଥିଲେ। ବିଜ୍ଞାନ ମଣ୍ଡଳର ରାଜ୍ଯ ସଂପାଦକ ଡଃ ବିକାଶ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜ୍ଯ ସଂଗଠନ ସଂପାଦକ ଇଂ ଅରୁଣ କୁମାର ସାହୁ ଓଡିଶା ବିଜ୍ଞାନ ମଣ୍ଡଳର ଆଭିମୁଖ୍ଯ ସମ୍ପର୍କରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ। ବିଦ୍ଯାର୍ଥୀ ବିଜ୍ଞାନ ମନ୍ଥନର ରାଜ୍ଯ ସଂଯୋଜକ ଡଃ ଦିବ୍ଯ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଡଃ କର୍ମାଲକର , ଡଃ ଅଭୟ ନାୟକ, ଡଃ ଧୀରେନ୍ଦ୍ର ନନ୍ଦ ଏବଂ ଡଃ ଗୋପାଳକୃଷ୍ଣ ଚୌଧୁରୀଙ୍କୁ ଓଡିଶା ବିଜ୍ଞାନ ମଣ୍ଡଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିବେକାନନ୍ଦ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ତଥା ସ୍ବାଗତ ସମିତିର ଅଧ୍ୟକ୍ଷ ଡଃ ଧୀରେନ୍ଦ୍ର ନନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜ୍ଞାନ ମଣ୍ଡଳର ରାଜ୍ଯ କୋଷାଧ୍ୟକ୍ଷ ଶ୍ରୀ ସଂଜୟ ପଟ୍ଟନାୟକ ତଥା ଡଃ ସୃତି ତ୍ରିପାଠୀ ପରିଚାଳନା ବ୍ଯବସ୍ଥାର ସଞ୍ଚାଳନ କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ଡଃ ସୁଶାନ୍ତ ଦାଶ, ଡଃ ଦେବଲକାନ୍ତି ସିଂହ, ଡଃ ଗଣେଶ୍ଵର ପାଢୀ, ତପନ, ଅମିତ୍, ବିଶ୍ଵଜିତ ଓ ସ୍ମୃତି ପ୍ରମୁଖ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ।
