ସହାୟକ କମ୍ପାନୀରେ ଅଧିକ ନିବେଶ କରିବାକୁ ପାଓ୍ୱାରଗ୍ରୀଡ଼କୁ କ୍ୟାବିନେଟ୍‌ ଅନୁମୋଦନ

ସହାୟକ କମ୍ପାନୀରେ ଅଧିକ ନିବେଶ କରିବାକୁ ପାଓ୍ୱାରଗ୍ରୀଡ଼କୁ କ୍ୟାବିନେଟ୍‌ ଅନୁମୋଦନ l ସହାୟକ ସଂସ୍ଥା ପିଛା ନିବେଶ ସୀମା ୫,୦୦୦ରୁ ୭,୫୦୦ କୋଟିକୁ ବୃଦ୍ଧିନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ପାଓ୍ୱାରଗ୍ରୀଡ୍‍ କର୍ପୋରେସନ୍‍କୁ ଏହାର ସହାୟକ କମ୍ପାନୀରେ ଇକ୍ୱିଟି ନିବେଶ ଲାଗି ଅଧିକ କ୍ଷମତା ହସ୍ତାନ୍ତର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ମହାରତ୍ନ ଉଦ୍ୟୋଗ (ସିପିଏସ୍‍ଇ) ଗୁଡ଼ିକ ପାଇଁ ଲାଗୁ ହେଉଥିବା ସାଧାରଣ ଉଦ୍ୟୋଗ ବିଭାଗର ୪ ଫେବୃଆରୀ, ୨୦୧୦ ମସିହାର ନିର୍ଦ୍ଦେଶାବଳୀ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅନୁମୋଦନ ଦ୍ୱାରା ପାୱାରଗ୍ରୀଡ୍‌ର ଅନୁମତିପ୍ରାପ୍ତ ଇକ୍ୱିଟି ବିନିଯୋଗ ସୀମା ବର୍ତ୍ତମାନର ପ୍ରତି ସହାୟକ କମ୍ପାନୀ ପିଛା ୫,୦୦୦ କୋଟି ଟଙ୍କାରୁ ୭,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କିନ୍ତୁ ଏହି ନିବେଶକୁ ପୂର୍ବ ନିର୍ଦ୍ଧାରିତ ସୀମା କମ୍ପାନୀ ନେଟୱର୍ଥର ୧୫ ପ୍ରତିଶତକୁ ଅପରିବର୍ତ୍ତିତ ରଖାଯାଇଛି।ଏହି ଅନୁମୋଦନ ଦେଶର ସବୁଠାରୁ ବଡ଼ ଏବଂ ଅଭିଜ୍ଞ ଶକ୍ତି ସଞ୍ଚାରଣ ସେବା ପ୍ରଦାନକାରୀ ପାୱାରଗ୍ରୀଡ୍‌କୁ ଏହାର ମୂଳ ବ୍ୟବସାୟରେ ବିନିଯୋଗ ବୃଦ୍ଧି କରିବାକୁ ଏବଂ ଅକ୍ଷୟ ଶକ୍ତି କ୍ଷମତାର ବୃଦ୍ଧିରେ ସହାୟତା କରିବାକୁ ସକ୍ଷମ କରିବ। ଏହି ନିଷ୍ପତ୍ତି ପାଓ୍ୱାର ଗ୍ରୀଡକୁ ଅଣ-ଜୀବାଶ୍ମ ଭିତ୍ତିକ ଉତ୍ସରୁ ୫୦୦ ଗିଗାୱାଟ୍ ଶକ୍ତି ହାସଲ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ।କ୍ଷମତା ହସ୍ତାନ୍ତରଣ ମଞ୍ଜୁରୀ ପରେ ପାୱାରଗ୍ରୀଡ୍ ଏବେ ଅଲ୍ଟ୍ରା ହାଇ ଭୋଲଟେଜ୍ ଅଲଟରନେଟିଂ କରେଣ୍ଟ (UHVAC) ଏବଂ ହାଇ ଭୋଲଟେଜ୍ ଡାଇରେକ୍ଟ କରେଣ୍ଟ (HVDC) ସଞ୍ଚାରଣ ନେଟୱାର୍କ ଭଳି ଅଧିକ ପୁଞ୍ଜି ଆବଶ୍ୟକ କରୁଥିବା ଟ୍ରାନ୍ସମିସନ ପ୍ରକଳ୍ପଗୁଡ଼ିକର ବିଡିଂରେ ଅଂଶଗ୍ରହଣ କରିପାରିବ। ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ବିଡର୍ ଚୟନ ନିମନ୍ତେ ଶୁଳ୍କ ଭିତ୍ତିକ ପ୍ରତିଯୋଗିତାମୂଳକ ବିଡିଂ (TBCB) ର ପରିସରକୁ ବୃଦ୍ଧି କରିବ। ଏହା ଉତ୍ତମ ମୂଲ୍ୟ ନିର୍ଦ୍ଧାରଣକୁ ସୁନିଶ୍ଚିତ କରିବ ଏବଂ ସର୍ବୋପରି ଗ୍ରାହକମାନଙ୍କ ପାଇଁ ସୁଲଭ ତଥା ସ୍ୱଚ୍ଛ ଶକ୍ତିର ଉପଲବ୍ଧିକୁ ପ୍ରୋତ୍ସାହିତ କରିବ।

Leave a Reply

Your email address will not be published. Required fields are marked *