ସରିଗଲାଣି ଅଙ୍ଗନଓ୍ବାଡି ଗୃହ ନିର୍ମାଣ,

ସରିଗଲାଣି ଅଙ୍ଗନଓ୍ବାଡି ଗୃହ ନିର୍ମାଣ, ରାସ୍ତା ନଥିବାରୁ ହୋଇ ପାରୁନି ଉଦଘାଟନ ବୁଗୁଡା:- ୦୯/୦୯ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ହୋଇଥିଲେ ହେଁ ସେଠାକୁ ଯିବା ପାଇଁ ରାସ୍ତା ନାହିଁ l ତାହା ପୁଣି କେଉଁ ମଫସଲ ନୁହେଁ, ଖୋଦ ବୁଗୁଡ଼ା ସହରରେ l ବୁଗୁଡ଼ା ଏନଏସି ଅନ୍ତର୍ଗତ ୧୧ନଂ ୱାର୍ଡର ଶିଶୁମାନଙ୍କ ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ବେଙ୍ଗେଇ ବନ୍ଧ ନିକଟରେ ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲେ ହେଁ ଅଦ୍ୟାବଧି ସେଥିରେ ରଙ୍ଗ ଦିଆଯାଇନଥିବା ବେଳେ ବିଦ୍ୟୁତକରଣ ମଧ୍ୟ ହୋଇନି l ଆଉ ସବୁଠାରୁ ବଡ଼ କଥା ହେଲା ଏହି କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନଥିବାରୁ ଉଦଘାଟନ ହୋଇନପାରି ୭ ମାସ ହେଲା ପଡି ରହିଛି l ଏହି କେନ୍ଦ୍ରକୁ ଯିବା ପାଇଁ ଗଣ୍ଡାମଞ୍ଜି ସାହି ସମ୍ମୁଖରେ ଥିବା ଡ୍ରେନ ସହ ୬ ଫୁଟିଆ ରାସ୍ତା ପାଇଁ ଜାଗା ଚିହ୍ନଟ ହୋଇଛି। ତେବେ ଏ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇ ନଥିବାରୁ ଅଙ୍ଗନବାଡି କେନ୍ଦ୍ରର ଚାରିପଟ ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି । ଏହି ୧୧ନଂ ୱାର୍ଡର ସ୍ଥାୟୀ କେନ୍ଦ୍ର ନଥିବାରୁ ପୂର୍ବରୁ ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ କେନ୍ଦ୍ର ଚାଲିଥିଲା ଏବଂ ପରେ ଏନଏସି ପକ୍ଷରୁ ଗତବର୍ଷ ସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯିବା ସହ କେନ୍ଦ୍ର ନିର୍ମାଣ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ରଘୁନାଥ ସାହି କୋଠ ଘରେ କେନ୍ଦ୍ର ଚାଲୁ କରିବା ପାଇଁ ଏନଏସି କର୍ତ୍ତୃପକ୍ଷ ନିର୍ଦେଶ ଦେଇଥିଲେ l ଏହି କେନ୍ଦ୍ରରେ ୩୦ ଜଣ ଶିଶୁ ଥିବାବେଳେ ଉକ୍ତ ଏକ ବଖରିଆ ଛୋଟ କୋଠଘରଟି ଶିଶୁମାନଙ୍କ ପାଇଁ ଅସୁବିଧାଜନକ ହୋଇପାରୁ ନାହିଁ l ଏହା ବ୍ୟତୀତ ଏଠାରେ ଶୌଚାଳୟ କି ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଶିଶୁମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନୂତନ କେନ୍ଦ୍ରର ରାସ୍ତା ନିର୍ମାଣ ପ୍ରତି ଏନଏସି କର୍ତ୍ତୃପକ୍ଷ ଧ୍ୟାନ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି l ଗତ ଫେବୃଆରୀ ମାସରୁ କୋଠା ନିର୍ମାଣ କାମ ସରିଥିଲେ ମଧ୍ୟ ରାସ୍ତା ନିର୍ମାଣ କେବେ ହେବ ବୋଲି ପ୍ରଶ୍ନ ଉଠିଛି l ତେଣୁ ଏନଏସି କର୍ତ୍ତୃପକ୍ଷ ଯଥାଶୀଘ୍ର ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି l

Leave a Reply

Your email address will not be published. Required fields are marked *