ରଥଯାତ୍ରା ପାଇଁ ପୁରୀ ପୋଲିସ ର ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କ ସହ ଆଲୋଚନା
ଶ୍ରୀଗୁଣ୍ଡିଚା ରଥଯାତ୍ରା ୨୦୨୬ ଅବସରରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି, ସେମାନଙ୍କ ସୁରକ୍ଷା, ସୁବିଧା ଓ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ପାଇଁ ଆଜି ପୁରୀ ପୋଲିସ କାର୍ଯ୍ୟାଳୟ କନଫରେନ୍ସ ହଲ୍ରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ (NGOs) ମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଅତିରିକ୍ତ ପୋଲିସ ଅଧୀକ୍ଷକ ପୁରୀ ଶ୍ରୀ ସୁଶିଲ କୁମାର ମିଶ୍ର, ଶ୍ରୀ ଦେବୀ ପ୍ରତାପ, ଶ୍ରୀ ସଚିନ ପଟେଲ, ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ ଏବଂ SSMSV DC ଶ୍ରୀ କୌଶିକ ନାୟକ ଉପସ୍ଥିତ ଥିଲେ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ। ବୈଠକରେ ପ୍ରଧାନତଃ ରଥଯାତ୍ରା ସମୟରେ ଭକ୍ତମାନଙ୍କ ପାଇଁ ଆମ୍ବୁଲାନ୍ସ ସେବା, ପ୍ରାଥମିକ ଚିକିତ୍ସା ସୁବିଧା ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ କିପରି ଆହୁରି ସୁଚାରୁ ଭାବେ ପରିଚାଳନା କରାଯିବ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ବଡ଼ଦାଣ୍ଡ, ଶରଧାବାଲି, ସମୁଦ୍ରକୂଳ ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଭକ୍ତମାନଙ୍କ ପାଇଁ ଯଥେଷ୍ଟ ଆମ୍ବୁଲାନ୍ସ ମୁତୟନ, ଆପାତକାଳୀନ ଚିକିତ୍ସା ଦଳ ଓ ସ୍ୱେଚ୍ଛାସେବକମାନଙ୍କ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ସମସ୍ତ NGO ପ୍ରତିନିଧିଙ୍କୁ ରଥଯାତ୍ରା ଭଳି ବିଶାଳ ଆଧ୍ୟାତ୍ମିକ ମହୋତ୍ସବରେ ଭକ୍ତମାନଙ୍କ ସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଆହ୍ୱାନ କରିଥିଲେ।

ସେ କହିଥିଲେ ଯେ, ପୋଲିସ, ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ରଥଯାତ୍ରାକୁ ଆହୁରି ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ କରାଯାଇପାରିବ। ବୈଠକରେ ବିଭିନ୍ନ NGO ପକ୍ଷରୁ ମଧ୍ୟ ମୂଲ୍ୟବାନ ପରାମର୍ଶ ରଖାଯାଇଥିଲା। ସେମାନେ ଆମ୍ବୁଲାନ୍ସ ସେବା, ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନା ଏବଂ ହଜିଯାଇଥିବା ବ୍ୟକ୍ତିଙ୍କ ସହାୟତା ପାଇଁ ନିଜର ସକ୍ରିୟ ସହଯୋଗ ଦେବାକୁ ଆଶ୍ୱାସନା ଦେଇଥିଲେ। ପୁରୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ରଥଯାତ୍ରା ୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ଆୟୋଜନ କରିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପୁରୀ ପୋଲିସର ପ୍ରଥମ ପ୍ରାଥମିକତା ରହିବ। ପୁରୀ ପୋଲିସ ସମସ୍ତ ଭକ୍ତ, ସ୍ଥାନୀୟ ବାସିନ୍ଦା ଓ ସେବାଦାତା ସଂଗଠନମାନଙ୍କୁ ସମନ୍ୱୟ ଓ ସହଯୋଗ ରଖି ଏହି ପବିତ୍ର ଯାତ୍ରାକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଛି।
