ଆଇପିଏଲ-୨୦୨୩ : ଗୁଜୁରାଟକୁ ହରାଇ ଅବିଶ୍ଵସନୀୟ ବିଜୟ ହାସଲ କଲା କୋଲକାତା

ଅହମ୍ମଦାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ର ରବିବାର ୧୩ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ। ବିଶ୍ଵର ସର୍ବବୃହତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳା ଯାଇଥିଲା । ଏହି ମ୍ୟାଚରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ଫିକା ପଡିଲା ଗୁଜୁରାଟ ବୋଲର ରଶିଦ ଖାନଙ୍କ ହ୍ୟାଟ୍ରିକ , ରିଙ୍କୁ ସିଂହଙ୍କ ପ୍ରହାରରେ କୋଲକାତା ଅବିଶ୍ଵସନୀୟ ଭାବେ ବିଜୟ ହାସଲ କରିଛି । ଗୁଜରାଟ ଟାଇଟନ୍ସକୁ ୩ ଓ୍ବିକେଟରେ ହରାଇଇଛି କୋଲକାତା ନାଇଟରାଇଡର୍ସ ।

ଆଜିର ମ୍ୟାଚରେ ରୋମାଞ୍ଚ ଶେଷ ବଲ୍ ପର୍ଯ୍ୟନ୍ତ ଯାଇଥିଲା । କେତେବେଳେ ଗୁଜରାଟ ଟାଇଟନ୍ସ ପଲ୍ଲା ଭାରି ରହୁଥିଲା ତ କେତେବେଳେ କୋଲକାତା ନାଇଟ୍ ରାଇଡର୍ସର ପଲ୍ଲା। କହିବା ବଡ ମୁସ୍କିଲ ଥିଲା ଯେ କେଉଁ ଦଳ ମ୍ୟାଚ୍ ଜିତିବ। ହେଲେ କୋଲକାତା ଇନିଂସର ୧୭ତମ ଓଭର ବୋଲିଂ କରିଥିବା ରଶିଦ ଖାନ ମ୍ୟାଚ୍‌ର ଗତିବିଧି ହିଁ ଓଲଟ ପାଲଟ କରି ଦେଲେ। ଉକ୍ତ ଓଭରରେ ହ୍ୟାଟ୍ରିକ ନେଇ ମ୍ୟାଚ୍‌ର ମଙ୍ଗ ଗୁଜରାଟ୍‌ ଆଡେ ମୋଡିଥିଲେ। ସମସ୍ତ ଭାବୁଥିଲେ ଗୁଜରାଟ ମ୍ୟାଚ୍ ଜିତିଯିବ। ପରାଜୟର ଦ୍ଵାର ଦେଶରେ ବି ପହଞ୍ଚି ଯାଇଥିଲା କୋଲକାତା। କାରଣ ଶେଷ ଓଭରରେ ଜିତିବା ପାଇଁ ଦରକାର ଥିଲା ୨୯ ରନ। କେହି ସ୍ଵପ୍ନରେ ସୁଦ୍ଧା ଭାବିନଥିଲେ ଯେ ରିଙ୍କୁ ସିଂହ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଇନିଂସ ଖେଳିବେ। ଆଉ ପୂରା ଷ୍ଟାପିୟମକୁ ସ୍ତବ୍ଧ କରି ଦେବେ। ସେ ଶେଷ ଓଭରରେ ୫ଟି ଛକା ମାରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ । ଶେଷ ଦୁଇଟି ବଲରେ ଜିତିବାକୁ କୋଲକାତା ୧୦ ରନ ଆବଶ୍ୟକ କରୁଥିବାବେଳେ ରିଙ୍କୁ ସିଂ ୨ଟି ଛକା ମାରି ଦଳପାଇଁ ବିଜୟ ଆଣିଦେଇଥିଲେ । ରିଙ୍କୁ ୨୧ଟି ବଲରୁ ୪୮ରନ କରିଥିଲେ । ରିଙ୍କୁ ସିଂହଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଲା ରଶିଦ ଖାନଙ୍କ ହ୍ୟାଟ୍ରିକ ସଫଳତା। ସେହିପରି ଭେଙ୍କଟେଶ ଆୟରଙ୍କ ଲଢୁଆ ୮୩ ରନର ଦମଦାର ଇନିଂସର ମହତ ରହିଲା। ଅନ୍ୟପଟେ ଚଳିତ ଆଇପିଏଲ୍‌ରେ କ୍ରମାଗତ ଦ୍ଵିତୀୟ ବିଜୟ ପରେ ପରାଜୟର ସ୍ଵାଦ ଚାଖିଛି ଗୁଜରାଟ। ଏହି ମ୍ୟାଚ୍‌କୁ ଦର୍ଶକ ଦୀର୍ଘ ସମୟ ଧରି ମନେ ରଖିବେ।

ମ୍ୟାଚରେ ଗୁଜରାଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୪ରନ କରିଥିଲା । ଦଳ ପକ୍ଷରୁ ବିଜୟ ଶଙ୍କର ସର୍ବାଧିକ ୬୩ରନ (ଅପରାଜିତ) କରିଥିବାବେଳେ ସାଇ ସୁଦର୍ଶନ ୫୩ରନ କରିଥିଲେ । ସେହିପରି ଶୁଭମନ ଗିଲ ୩୯ରନ କରିଥିବାବେଳେ ଋଦ୍ଧିମାନ ଶାହା ୧୭ରନ କରିଥିଲେ । ଡେଭିଡ୍ ମିଲର ୨ ରନ କରି ଅପରାଜିତ ରହିଥିଲେ । ବିଜୟ ଶଙ୍କର ମାତ୍ର ୨୪ଟି ବଲରୁ ୬୩ରନର ଏକ ଆକର୍ଷଣୀୟ ଇନିଂସ ଖେଳିଥିଲେ । ନିଜର ଏହି ଇନିଂସରେ ସେ ୫ଟି ଛକା ଓ ୪ଟି ଚୌକା ମାରିଥିଲେ ।କୋଲକାତା ପକ୍ଷରୁ ସୁନୀଲ ନାରିନ ୩ଟି ଓ୍ବିକେଟ ଓ ସୁୟାସ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *