ବେଆଇନ କ୍ଲିନିକ ବିରୋଧରେ ଖବର ସଂଗ୍ରହକୁ ଯାଇଥିବା ସାମ୍ବାଦିକଙ୍କୁ ଦୂର୍ବ୍ୟବହାର :
ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥା ଦିନକୁ ଦିନ ଗମ୍ଭୀର ରୂପ ନେଉଥିବା ବେଳେ, ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିବା ବେଆଇନ କ୍ଲିନିକ ଓ ନକଲି ଡାକ୍ତରମାନଙ୍କ ଦାଦାଗିରି ବଢ଼ିବାରେ ଲାଗିଛି । ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ, ଠିକ୍ଠାକ ଚିକିତ୍ସା ସୁବିଧା ନ ମିଳିବା ଓ ଦୂରଦୂରାନ୍ତର ଗ୍ରାମରେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଥିବାର ସୁଯୋଗ ନେଇ ଅଞ୍ଚଳରେ ଛତୁ ଫୁଟିଲା ପରି ବେଆଇନ କ୍ଲିନିକ ଗଢ଼ିଉଠିଛି ।ଅଭିଯୋଗ ଅନୁସାରେ,ରାୟଗଡା ଜିଲ୍ଲା କାଶୀପୁଟ ବ୍ଲକ ଅନ୍ତର୍ଗତ ଦୋରାଗୁଡା ସ୍ଥିତ ନୂଆପୋଡା ଛକରେ “ଇସାନି କ୍ଲିନିକ” ନାମରେ ଏକ କ୍ଲିନିକ ଦୀର୍ଘଦିନ ଧରି ବିନା ପ୍ରମାଣପତ୍ର ଓ ବିନା ଅନୁମତିରେ ଚାଲିଆସୁଛି । ସେଠାରେ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କ ପାଖରେ ଆବଶ୍ୟକ ଡାକ୍ତରୀ ଯୋଗ୍ୟତା ଓ ସରକାରୀ ଅନୁମୋଦନ ଥିବାର କୌଣସି ସ୍ପଷ୍ଟ ତଥ୍ୟ ନଥିବା କୁହାଯାଉଛି । ତଥାପି ନିରୀହ ଓ ଗରିବ ଲୋକଙ୍କୁ ଭୁଲ ଔଷଧ, ଇଞ୍ଜେକ୍ସନ ଓ ଚିକିତ୍ସା ଦେଇ ଟଙ୍କା ଆଦାୟ କରାଯାଉଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ଏହି ବେଆଇନ କ୍ଲିନିକ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ସ୍ଥଳକୁ ପହଞ୍ଚିଥିବା ବେଳେ, କ୍ଲିନିକ ପକ୍ଷରୁ ସେମାନଙ୍କୁ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ବରଂ ସତ୍ୟ ଲୁଚାଇବା ପାଇଁ ସାମ୍ବାଦିକମାନଙ୍କ ସହ ଅସଦ୍ବ୍ୟବଅଭିଯୋଗ ହୋଇଛି ।

ଖବର ପ୍ରକାଶ ହେବାର ଭୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧମକ ଓ ଦୂର୍ବ୍ୟବହାର କରାଯାଇଥିବା ଘଟଣାକୁ ସାମ୍ବାଦିକ ମହଳ ଗୁରୁତର ଭାବେ ନେଇଛି ।ଏନେଇ ସାମ୍ବାଦିକମାନେ ଦୋରାଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ଅନ୍ୟପଟେ ଜିଲ୍ଲାର କିଛି ପ୍ରଭାବଶାଳୀ ଅଧିକାରୀଙ୍କ ଛତ୍ରଛାୟା ତଳେ ଏପରି ବେଆଇନ କ୍ଲିନିକ ଚାଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗର ନିରୀକ୍ଷଣ ଓ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହିପରି ନକଲି ଡାକ୍ତରମାନଙ୍କ ଭୁଲ ଚିକିତ୍ସା ଓ ଅବୈଧ ଔଷଧ ବ୍ୟବହାର କାରଣରୁ ପୂର୍ବରୁ ମଧ୍ୟ ଅନେକ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ରହିଛି । କିନ୍ତୁ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଏମାନଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ନିଆଯାଉନାହିଁ ।ସାମ୍ବାଦିକମାନେ କହିଛନ୍ତି, “ସତ ଖବର ଲୋକଙ୍କ ସାମ୍ନାକୁ ଆଣିବାକୁ ଗଲେ ଆମକୁ ନାଲି ଆଖି ଦେଖାଯାଉଛି । କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସହ ଖେଳୁଥିବା ଏହିପରି ବେଆଇନ କାରବାର ବିରୋଧରେ ଆମର ଲଢ଼େଇ ଜାରି ରହିବ ।”ଏବେ ଦେଖିବାକୁ ବାକି ରହିଲା, ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଏହି ବେଆଇନ କ୍ଲିନିକ ଓ ନକଲି ଡାକ୍ତରଙ୍କ ବିରୋଧରେ କେବେ ଓ କେମିତି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।
