ପୁଣି ମହାପ୍ରସାଦ ର ମର୍ଯ୍ୟାଦା କୁ ଅପମାନ.. ଖଲିପତ୍ରରେ ମହାପ୍ରସାଦ ବିକ୍ରି !

ପୁଣି ମହାପ୍ରସାଦର ମର୍ଯ୍ୟଦାକୁ ଅପମାନ। ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ। ଶ୍ରୀମନ୍ଦିର ଉତ୍ତରଦୁଆର ସମ୍ମୁଖରେ ଅବଢାକୁ ପିଣ୍ଡଭୋଗ କହି ଲୋକଙ୍କୁ ବିକ୍ରି କରାଯାଉଥିବା ବେଳେ ନୀରବ୍ ସୁରକ୍ଷାକର୍ମୀ ଓ ଶ୍ରୀମନ୍ଦିର ପ୍ରଶାସନ। ଏକ ବାଉଁଶ ଡାଲାରେ ଖଲ୍ଲିପତ୍ରରେ ଅନ୍ନ,ଡାଲି,ଡାଲମା,ବେସର,ମହୁର,କାନିକାକୁ କିଛି ଜଣ ଉତ୍ତରଦୁଆର ସମ୍ମୁଖରେ ଭକ୍ତଙ୍କୁ ବିକ୍ରି କରୁଥିବା ବେଳେ ଅବଢା ବୋଝେଇ ବେତାରେ ଖଲିପତ୍ରରେ ମହାପ୍ରସାଦ ରହିଥିବା ଦେଖିବାକୁ ମିଳିଛି।ଯାହାକୁ ନେଇ ମହାପ୍ରସାଦର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହୋଇଛି। ସେପଟେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅବଢା ପ୍ରସ୍ତୁତ କରୁଥିବା ସୁଆରମହାସୁଆର ନିଯୋଗ। ନିଯୋଗର ସଭାପତି ଏଭଳି ଖୁଲମଖୁଲା ଖଲିପତ୍ରରେ ଅବଢା ବିକ୍ରିକୁ ଖୋଲାଖୋଲି ଭାବରେ ନିନ୍ଦା କରିଥିବା ବେଳେ ଏହା ଶ୍ରୀମନ୍ଦିର ଐତିହ୍ୟ ଓ ପରମ୍ପରା ପ୍ରତି ଘୋର ଅପମାନ ବୋଲି ମତ ପ୍ରକାଶ କରିଛନ୍ତି। କେବଳ ଶ୍ରୀମନ୍ଦିର ଆନନ୍ଦବଜାରକୁ ଛାଡିଲେ ଅନ୍ୟ କେଉଁ ଜାଗାରେ ମଧ୍ୟ ଶ୍ରୀମହାପ୍ରସାଦ ବିକ୍ରି କରାଯାଇପାରିବ ନାହିଁ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପଶ୍ଚିମଦ୍ବାର ଓ ଉତ୍ତରଦୁଆର ନିକଟରେ ଦୁଇଟି କାଉଣ୍ଟର ନିର୍ମାଣ କଲେ ଏଭଳି ଖୋଲାମେଲାରେ ମନମୁଖି ଭାବେ ମହାପ୍ରସାଦର ବିକ୍ରିକୁ ବନ୍ଦ କରାଯାଇପାରିବ ବୋଲି କହିଛନ୍ତି ସୁଆରମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର। ଅନ୍ୟପଟେ ଖଲିପତ୍ରରେ ବିକ୍ରି କରାଯାଇଥିବା ମହାପ୍ରସାଦ ନଗଦ ନା ବାସୀ ନା ଘରୁ କିଏ ଏହାକୁ ପ୍ରସ୍ତୁତ କରି ବ୍ୟବସାୟୀକରଣ ଉଦେଶ୍ୟରେ ବିକ୍ରି କରୁଛି ସେନେଇ ସହରବାସୀ ପ୍ରଶ୍ନ କରିଛନ୍ତି।

ସୁଆରମହାସୁଆର ନିଯୋଗସେପଟେ ଏଭଳି ଘଟଣାକୁ ସବୁସ୍ତରରେ ନିନ୍ଦା କରାଯାଇଛି। ପୂର୍ବରୁ ମହାପ୍ରସାଦକୁ ଚେୟାର ଟେବୁଲରେ ବସି ଲୋକେ ଖାଉଥିବା ନଜିର୍ ରହିଥିବା ବେଳେ ଏବେ ଉତ୍ତରଦୁଆର ସମ୍ମୁଖରେ ଏଭଳି ଖୋଲାଖୋଲି ଭାବରେ ଖଲିପତ୍ରରେ ମହାପ୍ରସାଦ ବିକ୍ରିକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏଭଳି ଘଟଣା ଉପରେ ନନ୍ଦି ଲାଇଭ୍ କୁ ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ଉତ୍ତରଦୁଆର ସମ୍ମୁଖରେ ଖୁଲମଖୁଲା ଅବଢା ବିକ୍ରି ଘଟଣାର ତଦନ୍ତ ନିର୍ଦ୍ଦେଶ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ଦିଆଯାଇଥିବା ବେଳେ ଯଦି ସେଥିରେ କିଛି ଅପମିଶ୍ରଣ ହୋଇଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଫାଭିଓ- ଶ୍ରୀମହାପ୍ରସାଦର କଣିକା ଟିକିଏ ପାଇବାକୁ ଭକ୍ତ ମନରେ ଅହେତୁକ ଇଚ୍ଛା ରହିଥିବା ବେଳେ ଗହଳି ଯୋଗୁଁ ହେଉ କିମ୍ବା ସମୟ ଅଭାବରୁ ଶ୍ରୀମନ୍ଦିର ନଯାଇପାରି ଭକ୍ତମାନେ ଏଭଳି ନକଲି ବିକ୍ରେତ ମାନଙ୍କ ଠାରୁ ବାଧ୍ୟ ହୋଇ କିଣୁଛନ୍ତି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦର ମର୍ଯ୍ୟାଦା ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *