ମା_ଆଉ_କରନ୍ଦା_କୋଳି
#ମା_ଆଉ_କରନ୍ଦା_କୋଳ
ଖରା ତାଉ କ୍ରମଶଃ ବଢ଼ିଆସି
ଗୋହିରିବାଟର ମାଟି ଶୀତଳେଇବା ବନ୍ଦ କଲାବେଳେ
ବୈଶାଖର ତତଲା ବାଆ ସହ
ମଳିଛିଆ ବୁଢ଼ୀଟିଏ କୁଣ୍ଢିରେ ଆଧାସରା
କରନ୍ଦା କୋଳି ସାଥେ ନେଇ
ଆମ ଘର ବାରଣ୍ଡା ଆଡକୁ ମୁହାଁଉଥାଏ
ଅରାକ ଛାଇ ସକାଶେ ।
ସମୟ ତା ପାଖେ ହାର ମାନି
ପିନ୍ଧେଇସାରିଛି ବିଜୟୋନ୍ନତ ମୁକୁଟ ।
ବାର୍ଦ୍ଧକ୍ୟର ଝାଞ୍ଜି ପବନ ଶୁଖାଇ ପାରିନି
ତା ଭିନ୍ନକ୍ଷମ ପୁଅର ମୁଣ୍ଡାଇଥିବା ଜଞ୍ଜାଳର ଝର ।
ଯଦିଓ ରେଖାଙ୍କିତ ଧୁଡୁଧୁଡୁ କପାଳରେ
ସ୍ପଷ୍ଟ ବାରିହେଇପଡେ ତାର ଥକ୍କାପଣ ।
ଚାହୁଁ ଚାହୁଁ ବାକିତକ କରନ୍ଦା କୋଳି
ଆମ ଘର ସମେତ ସାଇ ଭାଇ ଘରେ ପହଞ୍ଚି
ସବୁ ଠେଇଁ ବାଣ୍ଟୁଥାଏ ଆତ୍ମୀୟତାର ହସ ।
ତା ମୁହଁର ନିରାଶା ବେଳାଭୂମିଟି ଉଚ୍ଛନ୍ନ ହୋଇଉଠେ ।
କେତେଦିନରୁ ଆଶାୟୀ ପୁଅ ପାଟିରେ ବାଜିବ
ଖାଣ୍ଟି ଖାସିର ମାଉଁସ ।
ମୋର ଆଉ କୋ ଇଚ୍ଛାଥାଏ
ଖେଳିବାକୁ ପାହିକଟା ଖପରା ଖେଳ ?
ବାଲିହାତକୁ ପିନ୍ଧା ଫ୍ରକରେ
ପୋଛିଦେଇ ପାଟି ଟାକୁ ଟାକୁ କରେ ।
ଜିଭ ଯାହା ଲାଳାୟିତ କରନ୍ଦା କୋଳି ମୋହରେ
ମନ କିନ୍ତୁ ଗଣ୍ଠିପଡେ
ପ୍ରତିଟି ମା ଙ୍କ ମମତ୍ୱବୋଧର ବଳିଷ୍ଠ ସୁତୁଲିରେ ।
ବଳେଇ ବଳେଇ ଖୁଆଉଥିବା ମୋ ବୋଉ
ଏଥର କିନ୍ତୁ ତନ୍ନତନ୍ନ କରି ଚାଖୁଥାଏ
ଖଟା ଆଉ ମିଠାର ତଫାତ ।
କେତେଥର ତାକୁ ଆଖି ଭରି ଦେଖିଛି
ତଥାପି ତା’ ବୁକୁତଳେ ଆଜି ଆବିଷ୍କାର କରେ
ମୋ ପାଇଁ ଅଜଣା ଗୋଟେ ସ୍ଵର୍ଗ ଯାଚି ଦେଇଥିବା
ଶବରୀର କାୟାଟିଏ ।
ଦୀପିକା ଦାଶ , ବ୍ରହ୍ମପୁର
