ନିମାପଡ଼ା ଏନସିରେ ଅନାସ୍ଥା ପ୍ରସ୍ତାବ ଖାରଜ. ପଦ ବଜାୟ ରଖିଲେ ଏନସି ଅଧ୍ୟକ୍ଷା
ବହୁ ଚର୍ଚ୍ଚିତ ନିମାପଡ଼ା ଏନଏସି ଅନାସ୍ଥା ନାଟକର ପରିସମାପ୍ତି ଘଟିଛି। କୌଣସି ରଣକୌଶଳ କାମକରିନି। ଶେଷରେ ଗାଦି ରକ୍ଷା କରିଛନ୍ତି ଅଧ୍ୟକ୍ଷା ସସ୍ମିତା ସାହୁ।ପୁରୀ ଉପ ଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ଅଧ୍ୟକ୍ଷତାରେ ଏନଏସି ସମ୍ମିଳନୀ କକ୍ଷରେ ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଥିଲା ଅନାସ୍ଥା ଭୋଟ୍। ପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୧ ଜଣ ସଭ୍ୟଙ୍କ ମଧ୍ୟରୁ ୨ଜଣ ଅନୁପସ୍ଥିତ,ଜଣେ ଭୋଟ ବର୍ଜନ,ଗୋଟେ ଭୋଟ ନାକଚ ହୋଇଥିଲା ବେଳେ ୭ଜଣ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଦୁଇ ତୃତୀୟାଂଶ ଅର୍ଥାତ ୧୧ ଜଣରୁ ୮ଜଣଙ୍କ ଆବଶ୍ୟକ ଥିବାବେଳେ ଅନାସ୍ଥା ସପକ୍ଷରେ ୭ଜଣ ଭୋଟ ଦେଇଥିଲେ। ପ୍ରକାଶ ଥାଉ କି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଗତ ପାଇଁ ଗତ ୧୨ ତାରିଖରେ ପରିଷଦର ୮ଜଣ କାଉନସିଲର ଜିଲ୍ଲାପାଳଙ୍କୁ ଆବେଦନ କରିଥିଲେ ଏବଂ ୨୦ ତାରିଖରେ ଭୋଟ୍ କରାଯିବ ବୋଲି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଥିଲେ। ଅର୍ଥ ପ୍ରଲୋଭନର ଶିକାର ନହୋଇ କିମ୍ବା ମତ ପରିବର୍ତ୍ତନ ନକରିବା ପାଇଁ ୮ଜଣ କାଉନସିଲର ୪ଦିନ ପୂର୍ବରୁ ଅଜ୍ଞାତ ସ୍ଥାନରେ ରହିଥିଲେ। ସକାଳ ୧୦.୩୦ରେ ସମସ୍ତେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଆସି ଏନଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ୧୧ଟାରେ ଭୋଟ୍ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ମାତ୍ର ୨୫ ମିନିଟ ଭିତରେ ଫଳାଫଳ ଜଣା ଯାଇଥିଲା। ୭ଟି ଭୋଟ ଅନାସ୍ଥା ସପକ୍ଷରେ ଏବଂ ଗୋଟିଏ ଭୋଟ୍ ନାକଚ ହୋଇଛି ବୋଲି ଉପଜିଲ୍ଲାପାଳ ଜଣାଇଥିଲେ। ଏହା ଅନ୍ୟାୟ ବିରୁଦ୍ଧରେ ସତ୍ୟର ଜୟ ହୋଇଛି ପୌରବାସୀ ଆମ ଉପରେ ଯେଉଁ ଆଶା ବିଶ୍ୱାସ ରଖିଛନ୍ତି, ଏନଏସିର ଯେଉଁ କାମ ସବୁ ଅଧୁରା ଅଛି ସେସବୁ ଆମେ ପୁରା କରିବୁ ବୋଲି ଅଧ୍ୟକ୍ଷା ସସ୍ମିତା ସାହୁ କହିଛନ୍ତି । ଅଧ୍ୟକ୍ଷାଙ୍କ ବିଜୟ ପରେ ଶତାଧିକ ବିଜେଡ଼ି କର୍ମୀ ଏନଏସି ଅଫିସ ନିକଟରେ ପହଞ୍ଚି ସ୍ଲୋଗାନ ଦେଇ ବିରାଟ ଶୋଭାଯାତ୍ରା କରି ନିମାପଡା ବଜାର ପରିକ୍ରମା କରିଥିଲେ।
