ପୁରୀ ରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ
ପୁରୀ ଜିଲ୍ଲା ସ୍ତରୀୟ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଆଜି ସଂଧ୍ୟାରେ ଟାଉନ ହଲ ଠାରେ ପାଳିତ ହୋଇଥିଲା।ପୌରପାଳିକା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ମହାପ୍ରଭୁଙ୍କ କ୍ଷେତ୍ର ଓ ପର୍ଯ୍ୟଟନ ପାଇଁ ପୌରପାଳିକା ହିସାବରେ ପୁରୀ ଏକ ସ୍ୱତନ୍ତ୍ର ସ୍ଥାନ ର ଅଧିକାରୀ।ପୁରୀ ର ନାଗରିକ ଙ୍କ ସହ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ପରିମଳ ଓ ସ୍ୱଛତା ଏକ ଚ୍ୟାଲେଞ୍ଜ।ଆମେ ସମସ୍ତେ ମିଶି ଏଥିରେ ସହଯୋଗ କରିବା ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ପ୍ରଧାନ ଓ ଏନଫୋର୍ସମେଣ୍ଟ ଅଧିକାରୀ ଦେବାଶିଷ ନାୟକ ପ୍ରମୁଖ ସ୍ୱାୟତ୍ତ ଶାସନ ଦିବସ ର ତାତ୍ପର୍ଯ୍ୟ, ନାଗରିକ ମାନଙ୍କ ପାଇଁ ଦାୟିତ୍ୱ, ନାଗରିକ ଙ୍କ କର୍ତ୍ତବ୍ୟ ଓ ପୁରୀ ଭଳି ବ୍ୟସ୍ତ ବହୁଳ ଅଞ୍ଚଳରେ ସ୍ୱଛତା ଏକ ଆହ୍ଵାନ ହୋଇ ଥିବାରୁ ଅଧିକାରୀ ଓ କର୍ମଚାରୀ ଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ,ଆଭିମୁଖ୍ୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ,ପୂର୍ବତନ କାଉନସିଲର ମାନଙ୍କୁ,କଳାକାର ମାନ ଙ୍କୁ ପୁରସ୍କୃତ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।

ପ୍ରତ୍ୟୁଷରୁ ସିଂହଦ୍ଵାର ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ, ସିଂହଦ୍ଵାର ଠାରୁ ସ୍ୱଛତା ସଚେତନତା ଶୋଭାଯାତ୍ରା,ଗାନ୍ଧୀଘାଟ ଠାରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ରାମଧୂନ ପରିବେଷଣ, ପୌର କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ, ସହରାଞ୍ଚଳର ବାସହୀନ ଙ୍କ ଆଶ୍ରୟ ସ୍ଥଳରେ ଫଳ ବଣ୍ଟନ,ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦଘାଟନ, ଅତିଥି ମାନଙ୍କ ଦ୍ୱାରା ବସ୍ତି ବାସିନ୍ଦା ଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ବଣ୍ଟନ, ପରିମଳ କର୍ମଚାରୀ ଙ୍କୁ ଶାଢ଼ୀ, ପୋଷାକ, ମିଷ୍ଟାନ୍ନ ବଣ୍ଟନ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।
