ପ୍ରାକ୍ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ବୈଠକ ଅନୁଷ୍ଠିତ

ପୁରୀ- ତା. ୦୭.୦୧.୨୦୨୨– ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଭ୍ରୁଣ ନିରୂପଣ ନିମନ୍ତେ ଜିଲ୍ଲାରେ ବର୍ତ୍ତମାନ ଚାରିଛକ, ନିମାପଡା, ସାକ୍ଷୀଗୋପାଳ ଠାରେ ପ୍ରତ୍ୟେକ ଗୋଟିଏ, ପିପିଲିରେ ୨ଟି ଏବଂ ପୁରୀରେ ୭ଟି ସ୍ବିକୃତିପ୍ରାପ୍ତ କେନ୍ଦ୍ର ରହିଛି । ଏଥିସହ ପଞ୍ଜିକରଣ ପାଇଁ ଆଉ ତିନୋଟି କ୍ଲିନିକ କରିଥିବା ଆବେଦନ ଗୁଡିକ ବିଚାରଧିନ ରହିଛି । ଗର୍ଭଧାରଣ ପୂର୍ବରୁ ବା ପରେ ଲିଙ୍ଗ ନିରୂପଣ ପଦ୍ଧତି ଗୁଡିକର ବ୍ୟବହାର କରି ଲିଙ୍ଗ ଭିତ୍ତିକ ଗର୍ଭପାତ କରୁଥିବା ଡାକ୍ତରୀ ସଂସ୍ଥା, କ୍ଲିନିକ କିମ୍ବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି । ଏ ସଂକ୍ରାନ୍ତୀୟ ଅଭିଯୋଗ ଆସିବା ପରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବୈଠକରେ ମତ ପ୍ରକାଶ ପାଇଛି । ବିଭିନ୍ନ ସମୟରେ ସଂପୃକ୍ତ ସଂସ୍ଥା ଉପରେ ଅଚାନକ ଯାଞ୍ଚ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି । ଗତବର୍ଷ ଜିଲ୍ଲାରେ ଏକ ହଜାର ପୁଅଙ୍କ ତୁଳନାରେ ୯୩୮ ଜଣ ଝିଅ ଜନ୍ମ ଗ୍ରହଣ କରିଛନ୍ତି । ଲିଙ୍ଗ ଅନୁପାତ କମ୍ ରହୁଥିବା ଉକ୍ତ କେନ୍ଦ୍ର ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀ ନାଥଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଣବ ଶଙ୍କର ଦାଶ, ଏଡିଏମଓ ଡଃ ଦେବୀ ପ୍ରାସଦ ମିଶ୍ର, ଶ୍ରୀ ଡିପିଏମ ଟି. ନାରାୟଣ ରାଓ, ସୁଧାଂଶୁ ଶତପଥି, ରୋଟାରୀ କ୍ଲବର ଶ୍ରୀ ନାରାୟଣ ଦାଶ, ଆଇନଜିବୀ ଶ୍ରୀ ରମାଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *