ସାଉଦି ଆରବରେ ‘ଉତ୍କଳିକା’ ର ରଜ ମହୋତ୍ସବ ପାଳନ l

ରମ୍ଭା ତା -୨୭/୦୬/୨୦୨୬ ସାଉଦି ଆରବରେ ଓଡ଼ିଆ ପ୍ରବାସୀମାନଙ୍କର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ “ଉତ୍କଳିକା” ପକ୍ଷରୁ ଚଳିତ ବର୍ଷ ରଜ ପର୍ବ ବହୁ ଆଡ଼ମ୍ବର ଓ ଉତ୍ସାହର ସହ ପାଳନ କରାଯାଇଛି।ସାଗର ସେପରିରେ ମଧ୍ୟ ଓଡ଼ିଶାର ମାଟି, ମାଆ, ଭାଷା ଓ ସଂସ୍କୃତି ପ୍ରତି ଥିବା ଅଗାଧ ଭଲପାଇବାର ଏକ ଜୀବନ୍ତ ନିଦର୍ଶନ ପାଲଟିଥିଲା ଏହି ଆୟୋଜନ। ଶତାଧିକ ଓଡ଼ିଆ ପରିବାର ଏହି ଉତ୍ସବରେ ଯୋଗଦେଇ ରଜର ଆନନ୍ଦକୁ ମନଭରି ଉପଭୋଗ କରିଥିଲେ।ଛୋଟ ଶିଶୁଠାରୁ ଆରମ୍ଭ କରି ବୟସ୍କ ମହିଳା ଓ ପୁରୁଷ ସମସ୍ତେ ରଜର ଉତ୍ସାହରେ ସାମିଲ ହୋଇଥିଲେ । ବହୁ ପ୍ରବାସୀ ଭାବବିହ୍ୱଳ ହୋଇ କହିଥିଲେ ଯେ, ଦୀର୍ଘ ଦିନ ପରେ ବିଦେଶ ମାଟିରେ ଏଭଳି ରଜ ପାଳନ କରି ସେମାନେ ନିଜ ଗାଁ ଓ ପରିବାରର ଅନୁଭୂତି ପାଇଛନ୍ତି।ଏହି ଅବସରରେ ବିଭିନ୍ନ ପାରମ୍ପରିକ ଖେଳର ମଧ୍ୟ ଆୟୋଜନ କରାଯାଇଥିଲା। ସେହିପରି ପୋଡ଼ପିଠା, ଚକୁଳି ପିଠା, ଆରିସା, ମଣ୍ଡା, କାକରା, ଏଣ୍ଡୁରି, ଖିରି, ରଜପାନ ସହ ବିଭିନ୍ନ ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ ସମସ୍ତଙ୍କ ଅଣ ଓଡିଆଙ୍କ ମନ ଜିଣି ନେଇଥିଲା। ଉତ୍କଳିକା ଚିଫ କୋଡ଼ିନେଟର ବନବିହାରୀ ମହାନ୍ତି, ପୂର୍ବତନ ଚିଫ କୋଡିନେଟର ଜୟନ୍ତ ମହାପାତ୍ର ସମେତ ଅନେକ ବରିଷ୍ଟ ସଦସ୍ୟ ତଥା ପ୍ୟାରୀମୋହନ ମଲିକ୍, ବିଭୁ ଦାଶ, ମୁସ୍ତଫା ବେଗ, ସୁଧିର ସେନାପତି, ଉମାକାନ୍ତ ପାଢ଼ୀ, ମହେଶ୍ବର ଜେନା, ସରୋଜ ପାତ୍ର, ଶୁଶାନ୍ତ ପ୍ରଧାନ, ପଙ୍କଜ ସିଂହ, ସମ୍ବିତ୍ ମହାପାତ୍ର, ଭଗବାନ୍ ପାତ୍ର, ମନୋଜ ନାୟକ, ସୁଭାଶିଷ ମିଶ୍ର, ମାନସ ଜେନା ସମେତ ଅନେକ ଓଡ଼ିଆ ଯୋଗ ଦେଇଥିଲେ l ସଂଗଠନର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ଅଜୟ ଦାସ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ‘ଉତ୍କଳିକା’ ପକ୍ଷରୁ ସ୍ୱତନ୍ତ୍ର ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦୀର୍ଘ ୨୭ ବର୍ଷ ଧରି ସାଉଦି ଆରବରେ ରହି ଓଡ଼ିଆ ସମାଜକୁ ଏକ ସୂତ୍ରରେ ବାନ୍ଧିବା, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ନୂଆ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ସହଯୋଗ କରିବା ଏବଂ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଅବିସ୍ମରଣୀୟ ଅବଦାନକୁ ସମସ୍ତେ ସ୍ମରଣ କରିଥିଲେ। ଶେଷରେ ସମସ୍ତ ସଦସ୍ୟ ଆଗାମୀ ଦିନରେ ମଧ୍ୟ ଏଭଳି ଏକତା, ଭାଇଚାରା ଓ ସାଂସ୍କୃତିକ ଚେତନାକୁ ଅକ୍ଷୁଣ୍ଣ ରଖିବା ସହ ଓଡ଼ିଶାର ଗୌରବମୟ ପରମ୍ପରାକୁ ପ୍ରବାସ ମାଟିରେ ଆହୁରି ସୁଦୃଢ଼ କରିବାକୁ ସଂକଳ୍ପ ନେଇଥିଲେ। ରଜ ପର୍ବର ଏହି ଭବ୍ୟ ଆୟୋଜନ କେବଳ ଏକ ପର୍ବ ପାଳନରେ ସୀମିତ ନ ରହି, ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ସମ୍ପର୍କ, ସଂସ୍କୃତି ଓ ସାମାଜିକ ସଦ୍ଭାବକୁ ଆହୁରି ମଜବୁତ କରିବାର ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିଗଲା।

Leave a Reply

Your email address will not be published. Required fields are marked *