ଶ୍ରୀମନ୍ଦିରରେ ଏଏସଆଇ ଟିମ୍।
TEMPLE MEETINGଶ୍ରୀମନ୍ଦିରରେ ଏଏସଆଇ ଟିମ୍। ରତ୍ନସିଂହାସନ ଛାଡ଼ି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ମହାପ୍ରଭୁ। ଏଣୁ ଏହି ସମୟରେ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାପରେ ଏଏସଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଟିମ୍ ଶ୍ରୀମନ୍ଦିର ଭିତରକୁ ଯାଇ ଅନୁଧ୍ୟାନ କରିଛନ୍ତି। ସେଣ୍ଟ୍ରାଲ ବିଲ୍ଡିଙ୍ଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ମାଡ୍ରାସ ଆଇଆଇଟି ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହ ଭୋଗମଣ୍ଡପର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଉଛି। ସେହିପରି ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରାଯିବ। ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ସେହିପରି ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ କରାଯିବ। ମହାପ୍ରଭୁଙ୍କ ରାହୁ ରେଖା, ଝୋବା, ସୁନା ଚିତା, ରୂପା ରସିକ ସୁନା ଥଣ୍ଟିଆର ଗଣତି ମଣତି କାର୍ଯ୍ୟ ସହିତ ଥ୍ରୀଡି ସ୍କାନିଙ୍ଗ କରାଯିବ। ସେହିପରି ଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସନ୍ଧ୍ୟା ରେ ଠାକୁରଙ୍କ ଆଡ଼ପ ପହଣ୍ଡି ଥିବାରୁ ଗତକାଲି ରାତିରେ ଏବଂ ଆଜି ସକାଳୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ଗୁଣ୍ଡିଚା ମନ୍ଦିର ଠାରେ। ଏଣୁ ପ୍ରଶାସନ ର ସମସ୍ତ ନିୟମ ମାନି ଅଗଣିତ ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ଦର୍ଶନ ଓ କୃପା ଲାଭ କରନ୍ତୁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଆସନ୍ତାକାଲି ଆଡ଼ପ ଅବଢ଼ା ବାହାରିବ। ଏଣୁ ସୁଆର ମହାସୁଆର ନିଯୋଗ ଏବଂ ଅନ୍ୟାନ୍ୟ ସେବାୟତ ନିଯୋଗ ସହିତ ଉତ୍ତମ ସମନ୍ବୟ ରଖାଯାଇଛି।
