ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ଶ୍ରୀମନ୍ଦିର ସାବତ ନିଯୋଗ ଓ ପରିଚାଳନା କମିଟିର ସେବାୟତ
ଫେବୃଆରୀ ୪ ତାରିଖରେ ପୁରୀ ଗସ୍ତରେ ଆସିଥିଲେ ଦେଶର ପ୍ରଥମ ନାଗରିକ ଯଥା ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ରାଷ୍ଟ୍ରପତି ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା ପୁଷ୍କରିଣୀ ଯାଇ ପିତୃପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଥିଲେ। ଆଉ ରାଷ୍ଟ୍ରପତିଙ୍କୁ ପିଣ୍ଡଦାନ କରାଇଥିଲେ ଶ୍ରୀମନ୍ଦିର ସାବତ ନିଯୋଗ। ସେହି ସମୟରେ ମହାମହିମ ରାଷ୍ଟ୍ରପତି ସାବତ ନିଯୋଗକୁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷାକରି ଶ୍ରୀମନ୍ଦିର ସାବତ ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସେବାୟତ ରାଷ୍ଟ୍ରପତି ଭବନ ଯାଇ ମହାମହିମଙ୍କୁ ଭେଟିଛନ୍ତି।

ସାବତ ନିଯୋଗ ସମ୍ପାଦକ ବିପିନ ପତ୍ରୀ,ରାକେଶ ପଣ୍ଡା,ସନ୍ତୋଷ କୁମାର ପୁଷ୍ପାଳକ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ରାଷ୍ଟ୍ରପତି ଭବନ ଯାଇ ମହାମହିମଙ୍କୁ ସାକ୍ଷାତ କରିଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ସହ ଲାଗି ଖଣ୍ଡୁଆ ମହାମହିମଙ୍କୁ ସେଵାୟତ ମାନେ ପ୍ରଦାନ କରିଥିବା ବେଳେ ପୁର୍ନବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦ ନେବାକୁ ଅନୁରୋଧ କରିଥିବା କହିଛନ୍ତି l
