ମିଳିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ୩ କିଲୋମିଟର
ଗଣିଆ -ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଗଣିଆ ବ୍ଲକରେ । ଗଣିଆରେ କାଳବୈଶାଖୀ ଯୋଗୁଁ ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ପବନ ହୋଇଥିଲା । ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଦୀର୍ଘ ସମୟ ଧରି ଗଣିଆ ଛାମୁଣ୍ଡିଆ ରାସ୍ତାରେ ଯାତାୟାତ ହୋଇପାରିଲା ନାହିଁ । ପବନରେ ରାସଙ୍ଗ ପଞ୍ଚାୟତର କାଦୁଆ ଗ୍ରାମର ସୁଲୋଚନା ନାୟକ ବାଡ଼ି ପଟକୁ ଯାଇଥିବା ବେଳେ ଏକ ଗଛ ଡାଳ ତାଙ୍କ ଉପରେ ପଡ଼ିଥିଲା । ଏପରିକି ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା । ଆମ୍ବୁଲାନ୍ସ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସି ନଥିଲା ।

ପରିବାର ଲୋକେ ଉପାୟଶୂନ୍ୟ ହୋଇ ଏକ ଖଟିଆରେ ଯୁବ ସାମ୍ବାଦିକ କାହ୍ନୁଚରଣ ନାୟକଙ୍କ ସହଯୋଗରେ ମହିଳା ଜଣକୁ ପ୍ରାୟ ୩ କିଲୋମିଟର ବୋହି ଆଣିଥିଲେ । ତେବେ ସାମ୍ବାଦିକ ଗଣିଆ ଥାନାକୁ ଫୋନ କରିବା ପରେ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ଥାନା ଗାଡି ପଠାଇଥିଲେ । ଦଶିପୁର ତୋଟା ଠାରୁ ଥାନା ଗାଡିରେ ମେଡିକାଲ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ନୟାଗଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗଣିଆରେ ଏଭଳି ଅନେକ ସମୟରେ ଆମ୍ବୁଲାନ୍ସ ନଆସୁ ଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
