ପୁରୀ ଅଠରନଳାରେ ଖସିପଡିଲେ ଯୁବକ
ପୁରୀ ଅଠରନଳାର ମୂଷା ନଇରେ ଖସିପଡିଲେ ଯୁବକ, ଅଗ୍ନିଶମ ବାହିନୀ ଦ୍ୱାରା ସୁରକ୍ଷିତ ଭାବେ କରାଯାଇଛି ଉଦ୍ଧାର l ଅଠରନଳାର ମୂଷା ନଇରେ ରାତି ୯ ଟା ୪୨ ଘଟିକା ସମୟରେ ଜଣେ ଯୁବକ ଖସିପଡିଥିଲେ । ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ପ୍ରଶାନ୍ତ ସ୍ୱାଇଁ l ପ୍ରଶାନ୍ତ ଅଠରନଳା ନିକଟରେ କିଛି ସମୟ ପର୍ଯ୍ୟନ୍ତ ବୁଲୁଥିବା ବେଳେ ମୂଷା ନଈ ବ୍ରିଜ ଉପରେ ଯାଇ ବସିଥିଲେ l ଅସବଧାନତା ଯୋଗୁଁ ହେଉ କିମ୍ବା ଆତ୍ମହତ୍ୟା କରିବା ଉଧ୍ୟେଶ୍ୟରେ ହେଉ କେଉଁ କାରଣ ପାଇଁ ସେ ମୂଷାନଇକୁ ଖସିପଡିଥିଲେ ତାହା ଜଣାପଡିନାହିଁ । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପୁରୀ ଅଗ୍ନିଶମ କେନ୍ଦ୍ରର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମାତ୍ର 15 ମିନିଟ୍ ମଧ୍ୟରେ ଯୁବକଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ ଓ କିଭଳି ନଇକୁ ଖସିପଡିଲେ ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । କୁମ୍ଭାରପଡା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଠରନଳା ନିକଟରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଗହଳି ଲାଗିରହୁଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି ।
