ରଥଯାତ୍ରା ୨୦୨୬ ପୂର୍ବ ପ୍ରସ୍ତୁତି :
ପ୍ରେସ ବିଜ୍ଞପ୍ତି*ରଥଯାତ୍ରା ୨୦୨୬ ପୂର୍ବ ପ୍ରସ୍ତୁତି : ପୁରୀ ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ପୁରୀ ପୋଲିସର ଫ୍ଲାଗ୍ ମାର୍ଚ୍ଚ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ*ପବିତ୍ର ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୬କୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ପୁରୀ ପୋଲିସ ପକ୍ଷରୁ ସହରର ବିଭିନ୍ନ ବସ୍ତି ଓ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ଫ୍ଲାଗ୍ ମାର୍ଚ୍ଚ ଏବଂ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ସ୍ୱତନ୍ତ୍ର ଯାଞ୍ଚ ଓ ଅଭିଯାନ ଚାଲୁଅଛି । ସିଟି ଡିଏସପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ସିଟି ସବ୍-ଡିଭିଜନର ସମସ୍ତ ଥାନାର ଆଇଆଇସି ଓ ପୋଲିସ ଅଧିକାରୀମାନେ ଏହି ଫ୍ଲାଗ୍ ମାର୍ଚ୍ଚରେ ସକ୍ରିୟ ଭାବେ ଅଂଶଗ୍ରହଣ କରି, ସହରର ବିଭିନ୍ନ ବସ୍ତି, ଜନବହୁଳ ଏବଂ ସମ୍ବେଦନଶୀଳ ଅଞ୍ଚଳ ଦେଇ ପୋଲିସ ଟିମ୍ ପଦଯାତ୍ରା କରି ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସଚେତନ କରିଥିଲେ। ଏହି ଫ୍ଲାଗ୍ ମାର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜନସାଧାରଣଙ୍କ ମନରେ ସୁରକ୍ଷାର ଭାବନା ସୃଷ୍ଟି କରିବା, ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ଏବଂ ରଥଯାତ୍ରା ସମୟରେ କୌଣସି ପ୍ରକାରର ଆଇନ-ଶୃଙ୍ଖଳା ସମସ୍ୟା ସୃଷ୍ଟି ନ ହେବାକୁ ସୁନିଶ୍ଚିତ କରିବା। ଫ୍ଲାଗ୍ ମାର୍ଚ୍ଚ ସହିତ ସହରର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ବ୍ୟକ୍ତି, ଅସାମାଜିକ ତତ୍ତ୍ୱ ଏବଂ ଅପରାଧ ପ୍ରବଣ ଅଞ୍ଚଳଗୁଡ଼ିକରେ ସ୍ୱତନ୍ତ୍ର ଯାଞ୍ଚ କରାଯାଇଥିଲା। ପୂର୍ବରୁ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇଥିଲା।

ସେହିପରି ସାଧାରଣ ଜନତାଙ୍କୁ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ପୋଲିସ କଣ୍ଟ୍ରୋଲ ରୁମ ୧୧୨ କୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଥିଲା। ପୁରୀ ପୋଲିସ ରଥଯାତ୍ରା ୨୦୨୬ ପାଇଁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରୁଛି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ଅପରାଧ ନିୟନ୍ତ୍ରଣ, ଆତଙ୍କବାଦ ବିରୋଧୀ ପ୍ରସ୍ତୁତି, ଜରୁରୀକାଳୀନ ପ୍ରତିକ୍ରିୟା ଓ ଭକ୍ତମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ନିୟମିତ ଫ୍ଲାଗ୍ ମାର୍ଚ୍ଚ, ଯାନବାହନ ଯାଞ୍ଚ, ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଠୋର ଅଭିଯାନ ଜାରି ରହିବ। ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ଶାନ୍ତି, ସମ୍ପ୍ରୀତି ଓ ଆଇନର ଶାସନ ବଜାୟ ରଖିବାରେ ସହଯୋଗ କରିବା ସହ ରଥଯାତ୍ରା ସମୟରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଜାରି କରାଯାଉଥିବା ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରୁଛି।
