ରଥଯାତ୍ରା ୨୦୨୬ ପ୍ରସ୍ତୁତି

ପ୍ରେସ ବିଜ୍ଞପ୍ତି*ରଥଯାତ୍ରା ୨୦୨୬ ପ୍ରସ୍ତୁତି: ପୁରୀ ପୋଲିସ ପକ୍ଷରୁ ଗୁଣ୍ଡିଚା ମନ୍ଦିର ସଂଲଗ୍ନ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ*ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା–୨୦୨୬ ଅବସରରେ ସୁରକ୍ଷା, ଶୃଙ୍ଖଳା ଓ ସୁଚାରୁ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ପୋଲିସ ଲାଇନ ଠାରେ ଗୁଣ୍ଡିଚା ମନ୍ଦିର ସଂଲଗ୍ନ ସାହିର ମୁରବି, ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଦଶଦିନିଆ ଅବସ୍ଥାନ ସମୟରେ ମନ୍ଦିର ସଂଲଗ୍ନ ସାହି ଓ ଗଳିକନ୍ଦିରେ ସୃଷ୍ଟି ହେଉଥିବା ଜନସମାଗମ, ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ପରିଚାଳନା, ଯାତାୟାତ ବ୍ୟବସ୍ଥା, ଜରୁରୀକାଳୀନ ସହାୟତା ଓ ସ୍ଥାନୀୟ ସମସ୍ୟାର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସମସ୍ତ ବ୍ୟବସ୍ଥାକୁ ଅଧିକ ସୁଚାରୁ ଓ ସମନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ବୈଠକରେ କୁହାଯାଇଥିଲା ଯେ, ରଥଯାତ୍ରା ସମୟରେ ଦେଶ ଓ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀକୁ ଆସିଥାନ୍ତି। ପୁରୀର ପବିତ୍ର ଭୂମିର ବାସିନ୍ଦା ଭାବେ ସ୍ଥାନୀୟ ଲୋକମାନେ ଯେପରି ମହାପ୍ରଭୁଙ୍କ ଆଶୀର୍ବାଦର ଅଧିକାରୀ, ସେହିପରି ଆଗନ୍ତୁକ ଭକ୍ତମାନେ ମଧ୍ୟ ପୁରୀର ଆତିଥ୍ୟ, ସ୍ନେହ ଓ ସହଯୋଗର ଅନନ୍ୟ ଅନୁଭୂତି ନେଇ ଫେରନ୍ତୁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ। ଗୁଣ୍ଡିଚା ମନ୍ଦିର ସଂଲଗ୍ନ ସାହି ଓ ଗଳିକନ୍ଦିର ବାସିନ୍ଦାମାନେ ପ୍ରତିବର୍ଷ ରଥଯାତ୍ରା ସମୟରେ ନିଜସ୍ୱ ଅସୁବିଧା ସତ୍ତ୍ୱେ ମଧ୍ୟ ଅପୂର୍ବ ଧୈର୍ଯ୍ୟ, ସହଯୋଗ ଓ

ତ୍ୟାଗର ପରିଚୟ ଦେଇଥାନ୍ତି। ପୁରୀ ପୋଲିସ ପକ୍ଷରୁ ସେମାନଙ୍କ ଏହି ଅମୂଲ୍ୟ ସହଯୋଗ ପାଇଁ କୃତଜ୍ଞତା ଓ ସାଧୁବାଦ ଜଣାଯାଇଥିଲା। ବୈଠକରେ ଉପସ୍ଥିତ ମୁରବି, ସେବାୟତ ଓ ସ୍ଥାନୀୟ ବାସିନ୍ଦାମାନେ ବିଭିନ୍ନ ଗଠନମୂଳକ ପରାମର୍ଶ ଦେବା ସହ ରଥଯାତ୍ରା ୨୦୨୬ ସମୟରେ ପୁରୀ ପୋଲିସର ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ପୂର୍ଣ୍ଣ ସହଯୋଗ କରିବେ ଏବଂ ଆଗନ୍ତୁକ ଭକ୍ତମାନଙ୍କ ଆତିଥ୍ୟରେ କୌଣସି ଅବହେଳା କରିବେ ନାହିଁ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।ଏହି ସମନ୍ୱୟ ବୈଠକରେ ଅତିରିକ୍ତ ଏସ୍ପି ଶ୍ରୀ ସୁଶୀଲ କୁମାର ମିଶ୍ର ସଭାପତିତ୍ୱ କରିଥିଲେ। ବୈଠକରେ ସିଟି ଡିଏସ୍‌ପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର, ଟାଉନ ଥାନା ଅଧିକାରୀ ଶ୍ରୀ ଗୋକୁଳ ରଞ୍ଜନ ଦାସ, କୁମ୍ଭାରପଡ଼ା ଥାନା ଅଧିକାରୀ ଶ୍ରୀ ବିଜୟ କେତନ ବେହେରା ଏବଂ ପୁରୀ ପୋଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଶେଷରେ ପାରସ୍ପରିକ ସହଯୋଗ, ସମନ୍ୱୟ ଓ ଜନସହଭାଗିତା ମାଧ୍ୟମରେ ରଥଯାତ୍ରା ୨୦୨୬କୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ, ଶୃଙ୍ଖଳିତ ଓ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ପୁରୀ ପୋଲିସ ରଥଯାତ୍ରା ୨୦୨୬କୁ ସୁଚାରୁ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ସଦା ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *