ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ବଡ ଉଚ୍ଛେଦ ।
ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥର ଅଠରନଳା ନିକଟରେ ଆଜିଠାରୁ ପୁନର୍ବାର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି।ବାଟ ଗାଁ ଠାରୁ ହସ୍ପିଟାଲ ଛକ ସମ୍ପ୍ରସାରଣ ପାଇଁ ଏହି ଉଚ୍ଛେଦ ଅଭିଯାନ କରାଯାଉଛି।ଉଚ୍ଛେଦ ପାଇଁ ମାଜିଷ୍ଟ୍ରେଟଙ୍କ ସହ ଚାରି ପ୍ଲାଟୁନ ପୋଲିସ ଫୋର୍ସ ,ଅଗ୍ନିଶମ ବିଭାଗ ,ବିଦ୍ୟୁତ୍ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।ଉଚ୍ଛେଦ ବେଳେ ଜେସିବି ଉପରେ ପଡ଼ିଥିଲା ଭଙ୍ଗା ଯାଉଥିବା କୋଠାର କିଛି ଅଂଶ ।ଏହା ଯୋଗୁଁ ଉଚ୍ଛେଦ କାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।ପରେ ଆଉ ଏକ ଜେସିବି ଅଣାଯାଇ ପୁନର୍ବାର ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା।ଉଚ୍ଛେଦ ପାଇଁ ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥ ରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।୨୦୨୩ ମସିହାରୁ ବାଟ ଗାଁ ଛକ ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଚାରି ଲେନ ରାସ୍ତା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଉଚ୍ଛେଦ ଅଭିଯାନ କରାଯାଇ ପ୍ରାୟ ୯୮ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି।୨୦୧୫ ନବକଳେବର ସମୟରେ ପୁରୀରୁ ଭୁବନେଶ୍ୱର ଚାରି ଲେନ ରାସ୍ତା ପାଇଁ ନିଷ୍ପତି ନିଆଯାଇଥିଲା।ତେବେ ହସ୍ପିଟାଲ ଛକରୁ ବାଟ ଗାଁ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ହୋଇ ପାରିନଥିଲା।ତେବେ ଏହି ପ୍ରକଳ୍ପ ପାଇଁ ୧୧ଟି ମୌଜାର ୬ ଏକର ଜମି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରହିଥିଲା।ବାଟ ଗାଁ ଠାରୁ ମେଡିକାଲ ଛକ ଯାଏଁ ହେବାକୁ ଥିବା ଚାରି ଲେନ୍ ରାସ୍ତା ପାଇଁ ୧୧ଟି ମୌଜାର ୫ଏକର ପ୍ରାଇଭେଟ୍ ଲ୍ୟାଣ୍ଡ ସହ ୧ ଏକର ସରକାରୀ ଜାଗା ଅଧିଗ୍ରହଣ କରାଯାଇଛି। ଡ଼ାକ୍ତରଖାନା ଛକଠାରୁ ଅଠରନଳା ପର୍ଯ୍ୟନ୍ତ ୨୪ ମିଟର ଓ ଅଠରନଳା ଠାରୁ ବାଟ ଗାଁ ଛକ ପର୍ଯ୍ୟନ୍ତ ୨୨ମିଟର ପ୍ରଶସ୍ତ ରାସ୍ତା କରିବା ନେଇ ପ୍ରକଳ୍ପରେ ଯୋଜନା ରହିଛି।ଅବଶିଷ୍ଟ ଜମି ଅଧିଗ୍ରହଣ ହୋଇପାରିନଥିଲା।କିଛି ଜମି ମାଲିକ ଏ ନେଇ ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ବାରସ୍ଥ ହୋଇଥିଲେ।ଉଚ୍ଚ ନ୍ୟାୟାଳୟ ଓଡ଼ିଶା ସରକାରଙ୍କ ସପକ୍ଷରେ ରାୟ ଦେବା ପରେ ଅବଶିଷ୍ଟ ୧୧ ଟି ପ୍ଲଟ ଓ ୬ ଟି ମନ୍ଦିରର ଉଚ୍ଛେଦ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି।ଆସନ୍ତା ୨ – ୩ ମଧ୍ୟରେ ଅବଶିଷ୍ଟ ଜମି ଉଚ୍ଛେଦ ହୋଇ ଅଧିଗ୍ରହଣ ପରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଭୂଅର୍ଜନ ଅଧିକାରୀ କହିଛନ୍ତି।ତେବେ ଚିହ୍ନଟ ହୋଇଥିବା ସୀମା ଠାରୁ ଅଧିକ ଅଢେଇ ଫୁଟ ଜମି ଅଧିଗ୍ରହଣ ହେଉଥିବା ଓ ପୁରାତନ ମା ବସନ୍ତେଇ ମନ୍ଦିର ପାଇଁ କୌଣସି କ୍ଷତିପୂରଣ ଦିଆଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
