ବିଦ୍ୟୁତ ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ

ପ୍ରକାଶ କୁମାର ପାତ୍ର ମୃତ୍ୟୁ ଏମିତି ବି ଆସେ। ହାତ ଧରି ପରସ୍ପରକୁ ସାତ ଜନମ ପାଇଁ ସାଥି ହୋଇ ରହିବାକୁ ଶପଥ ନେଇଥିଲେ। ଆଉ ହାତ ଧରି ପରସ୍ପରକୁ ଆର ପାରିକୁ ଚାଲିଗଲେ। ଏମିତି ମୃତ୍ୟୁ ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ବାମ୍ ପଞ୍ଚାୟତ ଅନ୍ତର୍ଗତ ରଗଡାସାହିର ଦୁର୍ଯ୍ୟୋଧନ ମହାନ୍ତ ଏବଂ ସ୍ତ୍ରୀ ଭାରତୀ ମହାନ୍ତଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଉଭୟ ଦମ୍ପତ୍ତି ଛତିଶଗଡ ରାଜ୍ୟ କୁର୍ବା ଜିଲ୍ଲା ଅନ୍ତର୍ଗତ କୁସମୁଣ୍ଡା ଗାଁରେ ରହୁଥିଲେ। ସେଠାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ଦୁର୍ଯ୍ୟୋଧନ। ଗତ କାଲି ଦିନ ୧୧ ଟା ସମୟରେ ସ୍ତ୍ରୀ ଭାରତୀ ଲୁଗା ଶୁଖାଇବା ପାଇଁ ଛାତ ଉପରକୁ ଯାଇଥିଲେ। ତେବେ ସେଠାରେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଭାରତୀଙ୍କ ଚିତ୍କାର ଶୁଣି ସ୍ୱାମୀ ଦୁର୍ଯ୍ୟୋଧନ ବଞ୍ଚାଇବାକୁ ଆସି ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ।

ଉଭୟ ସ୍ୱାମୀ -ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟ ଦମ୍ପତ୍ତିଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଉଭୟ ଦମ୍ପତ୍ତିଙ୍କର ଏକ ୧୦ ବର୍ଷର ଶିଶୁ ପୁତ୍ର ରହିଛି। ଯିଏକି ଘଟଣା ସମୟରେ ବିଦ୍ୟାଳୟରେ ପାଠ ପଢିବାକୁ ଯାଇଥିଲେ। ଉଭୟ ଦମ୍ପତ୍ତିଙ୍କ ମୃତ୍ୟୁକୁ ନେଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଆଜି ମରଶରୀର ବାମ ଗାଁରେ ପହଂଚିବା ପରେ ଡ୍ରାଇଭର ମହାସଂଘର ସଦସ୍ୟ ଏବଂ ଗ୍ରାମବାସୀମାନେ ଗାଁ ଶ୍ମଶାନରେ ଉଭୟ ଦମ୍ପତିଙ୍କ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି। ତେବେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି।

Leave a Reply

Your email address will not be published. Required fields are marked *