ଜାତୀୟ ହସ୍ତତନ୍ତ ଦିବସ ପାଳିତ
ଜାତୀୟ ହସ୍ତତନ୍ତ ଦିବସ ପାଳିତ : ହସ୍ତତନ୍ତ ପରିଧାନ ପ୍ରତି ଯୁବପିଢ଼ିଙ୍କୁ ସଚେତନ କରିବାକୁ ଆହ୍ୱାନ
ପୁରୀ, ୭ ଅଗଷ୍ଟ: ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସଂପର୍କ” ଓ **“ଶ୍ରଦ୍ଧା ର” ମିଳିତ ଆନୁକୂଲ୍ୟରେ ଆଜି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀବିହାର, ପୁରୀସ୍ଥିତ ପ୍ରେକ୍ଷାଳୟରେ ଜାତୀୟ ହସ୍ତତନ୍ତ ଦିବସ–୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତତନ୍ତ ପରିଧାନର ଗୁରୁତ୍ୱ, ଭାରତୀୟ ପରମ୍ପରା ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ ବାର୍ତ୍ତାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଯୋଗଦେଇ କହିଥିଲେ ଯେ, ହସ୍ତତନ୍ତ କେବଳ ଏକ ବସ୍ତ୍ର ନୁହେଁ, ବରଂ ଆମର ସଂସ୍କୃତି, ପରମ୍ପରା ଓ ଆତ୍ମପରିଚୟର ପ୍ରତୀକ। ସ୍ଥାନୀୟ ବୁଣାକାରଙ୍କ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହ ହସ୍ତତନ୍ତ ବସ୍ତ୍ରର ବ୍ୟବହାର ବୃଦ୍ଧି ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।
ମୁଖ୍ୟବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ହସ୍ତତନ୍ତର ଐତିହ୍ୟ, ଅର୍ଥନୈତିକ ଗୁରୁତ୍ୱ ଏବଂ ଏହାର ସୁରକ୍ଷା ଓ ପ୍ରଚାରରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଶ୍ରଦ୍ଧା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପଦ୍ମନାଭ ପଣ୍ଡା ଯୋଗଦେଇ ହସ୍ତତନ୍ତ ଶିଳ୍ପର ସଂରକ୍ଷଣ ଓ ପ୍ରସାର ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଯୋଗଦେଇ ସମସ୍ତଙ୍କୁ ସ୍ବାଗତ କରିଥିଲେ।ବୟନ ବିଭାଗ ଇଣ୍ଡଷ୍ଟ୍ରିଆଲ ଇନ୍ସପେକ୍ଟର ରମାକାନ୍ତ ବର୍ଦ୍ଧନ ହସ୍ତତନ୍ତ ଦିବସ ର ତାତ୍ପର୍ଯ୍ୟ ଓ ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମତ ଦେଇଥିଲେ।
ସଂପର୍କ ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ଅନୁଷ୍ଠାନ ପକ୍ଷରୁ ହସ୍ତତନ୍ତ, ହସ୍ତଶିଳ୍ପ ଓ ଭାରତୀୟ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯାଉଛି। ଓଡ଼ିଶାର ହସ୍ତତନ୍ତ ସାରା ଦେଶ ତଥା ବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କିନ୍ତୁ ଆଧୁନିକ ଯନ୍ତ୍ରନିର୍ମିତ ବସ୍ତ୍ରର ବ୍ୟାପକ ପ୍ରସାର, ବଜାରରେ ନକଲି ସାମଗ୍ରୀର ବହୁଳ ଉପଲବ୍ଧତା ଏବଂ ଉପଭୋକ୍ତାଙ୍କ ସଚେତନତାର ଅଭାବ ଯୋଗୁଁ ହସ୍ତତନ୍ତ ଶିଳ୍ପ ଆଜି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି। ଫଳରେ ଅନେକ ବୁଣାକାର ନିଜ ପୈତୃକ ବୃତ୍ତି ଛାଡ଼ି ଅନ୍ୟ ପେଶାକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି।ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଫଳରେ ବୁଣାକାରମାନେ ବିଶ୍ୱ ବଜାରରେ ନିଜ ଉତ୍ପାଦର ବିକ୍ରୟ ବୃଦ୍ଧି ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟିର ସୁଯୋଗ ପାଉଛନ୍ତି। ତଥାପି ଯେପର୍ଯ୍ୟନ୍ତ ଯୁବପିଢ଼ି ହସ୍ତତନ୍ତ ବସ୍ତ୍ରର ବ୍ୟବହାର ବଢ଼ାଇବେ ନାହିଁ, ସେପର୍ଯ୍ୟନ୍ତ ବୁଣାକାରମାନଙ୍କ ଜୀବନଯାପନରେ ପ୍ରକୃତ ପରିବର୍ତ୍ତନ ଆସିବ ନାହିଁ।ଆଜିର ଯୁବପିଢ଼ି ଏହି ଦିଗରେ ବଡ଼ ଭୂମିକା ଗ୍ରହଣ କରିପାରିବେ। ସାମାଜିକ ଗଣମାଧ୍ୟମରେ ସ୍ୱଦେଶୀ ଉତ୍ପାଦର ପ୍ରଚାର, ସ୍ଥାନୀୟ ବୁଣାକାରଙ୍କୁ ସମର୍ଥନ ଏବଂ ‘ଭୋକାଲ୍ ଫର୍ ଲୋକାଲ୍’ ଭଳି ଚିନ୍ତାଧାରାକୁ ଆଗେଇ ନେବା ମାଧ୍ୟମରେ ସେମାନେ ଦେଶର ଅର୍ଥନୈତିକ ବିକାଶର ସହଯାତ୍ରୀ ହୋଇପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ।
ଅଧ୍ୟାପିକା ସସ୍ମିତା ବନ୍ଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଦୀର୍ଘ ୩୦ ବର୍ଷ ଧରି ଶ୍ରୀଜୀଉଙ୍କ ପାଇଁ ହସ୍ତତନ୍ତ ବସ୍ତ୍ର ଯୋଗାଇ ଆସୁଥିବା ବିଶିଷ୍ଟ ବୁଣାକାର ଗୋପୀନାଥ ଦାସଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ପୁରୀ ଜିଲ୍ଲାର ବ୍ରାହ୍ମଣ ଆଳେଣ୍ଡିଆ ହସ୍ତତନ୍ତ ଗ୍ରାମର ବୁଣାକାରମାନଙ୍କୁ ମଧ୍ୟ ସେମାନଙ୍କ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମନୋରଞ୍ଜନ ସାମନ୍ତରାୟ,ଅରବିନ୍ଦ ଶତପଥୀ,
ହର ପ୍ରସାଦ ମହାପାତ୍ର,କୃଷ୍ଣ ଚନ୍ଦ୍ର ମହାନ୍ତି,
ବୟନ ଶିଳ୍ପ ପ୍ରଶିକ୍ଷକ ପ୍ରଫୁଲ୍ଲ ବେହେରା,
ଶୁଭ ପ୍ରସାଦ ଶର୍ମା, ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଶିକ୍ଷକ, ବୁଣାକାର, ସମାଜସେବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ହସ୍ତତନ୍ତ ବସ୍ତ୍ରର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।
