ଶ୍ରୀ ଗୋପାଳ ଜୀଉ ଝୁଲଣ ଯାତ୍ରା
ଝୁଲଣ ଯାତ୍ରା କାଳରେ ପଡ଼ୁଥିବା ଶ୍ରାବଣ ପୂର୍ଣ୍ଣିମାକୁ ଝୁଲଣ ପୂର୍ଣ୍ଣିମା କୁହାଯାଏ । ଏହା ମଧ୍ୟ ଗହ୍ମାପୂର୍ଣ୍ଣିମା । ଶ୍ରୀମନ୍ଦିରର ଏହା ଏକ ବିଶିଷ୍ଟ ଦିନ । ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ ।ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ‘ଭାଗବତ’ର ଦଶମ ସ୍କନ୍ଧରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ଅଛି। ସେଥିରେ କୁହାଯାଇଛି- ଅସୁରଙ୍କ ଉତ୍ପାତରେ ଭୂମି ଥରହର ହୋଇ କମ୍ପିବାରୁ ପୃଥ୍ବୀଦେବୀ ମାୟାସୁରଭି ରୂପରେ ଯାଇ ବ୍ରହ୍ମାଙ୍କର ଶରଣ ପଶିଲେ। ଫଳରେ ବ୍ରହ୍ମା, ଶିବ ଓ ଅନ୍ୟାନ୍ୟ ଦେବତାଙ୍କୁ ନେଇ, କ୍ଷୀରସାଗରରେ ଅନନ୍ତ ଶୟନରେ ଥିବା ବିଷ୍ଣୁଙ୍କ ନିକଟକୁ ଗଲେ। ସବୁ କଥା ଶୁଣି ବିଷ୍ଣୁ ତାଙ୍କୁ ଯାହା କହିଲେ, ସେହି ପ୍ରସଙ୍ଗରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ବ୍ରହ୍ମା ଦେବଗଣଙ୍କୁ କହିଲେ- ହେ ଦେବଗଣ, ଶୁଣ! ନାରାୟଣ କହିଲେ, ସେ ଯାଦବ ବସୁଦେବଙ୍କ ଘରେ, ଦେବକୀଙ୍କ ପୁତ୍ର ରୂପେ ଜନ୍ମନେବେ। କିନ୍ତୁ ତାଙ୍କର କଳାରେ ପ୍ରଥମେ ଅନନ୍ତ ବା ଶ୍ରୀବଳଭଦ୍ର ଦେବକୀଙ୍କର ଗର୍ଭଗତ ହେବେ। ମହାମାୟା ଯୋଗ ବଳରେ ସେହି ଗର୍ଭକୁ ଆକର୍ଷଣ କରି, ବା ହରଣ କରିନେଇ, ନନ୍ଦରାଜାଙ୍କ ଘରେ ଥିବା ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବେ। ଫଳରେ ରୋହିଣୀଙ୍କ ଗର୍ଭରୁ ସଂକର୍ଷଣ ଶ୍ରୀବଳଭଦ୍ର ଜନ୍ମନେବେ। ଏ ସଂପର୍କରେ, ଭାଗବତର ଦଶମ ସ୍କନ୍ଧ, ତୃତୀୟ ଅଧ୍ୟାୟରେ ବର୍ଣ୍ଣନା ଅଛି ଯେ ବିଷ୍ଣୁଙ୍କ ପରାମର୍ଶରେ, ମହାମାୟା ମହା ଆନନ୍ଦରେ ମର୍ତ୍ତ୍ୟଲୋକର ମଥୁରା ନଗରୀକୁ ଆସିଲେ ଏବଂ କଂସର ବନ୍ଦୀଶାଳାରୁ ଦେବକୀଙ୍କର ଗର୍ଭକୁ ହରିନେଇ ଗୋପନଗ୍ରରେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ। ତାହା ଫଳରେ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀବଳଭଦ୍ର ଜନ୍ମ ନେଲେ।ଏହି ପବିତ୍ର ଜନ୍ମୋତ୍ସଵ ବିଧି ବିଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ଏହି ଦିନ ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହୁଏ । ପରେ ତିନିବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତଙ୍କଦ୍ୱାରା ସର୍ବାଙ୍ଗ ନୀତି ହୁଏ । ତା’ ପରେ ଦିଅଁମାନେ ବୋଇରାଣୀ ପତନି ନୂଆ ଲୁଗା ଲାଗି ହୁଅଛି ଓ ଦ୍ବିପ୍ରହର ଧୂପପାଇଁ ବେଶ ହୁଅନ୍ତି । ଏହି ବେଶରେ ତିନି ଖଣ୍ଡ ଆଜ୍ଞା ମାଳ (ଦକ୍ଷିଣ ଭୁଜ -୧, ବାମ ଭୁଜ-୨) ମହାପ୍ରଭୁ ଲାଗି ହୋଇଥାନ୍ତି । ଚାରିଟି ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି ହୁଏ । ପାଣି ପଡ଼ି ଭିତର ଧୋପଖାଳ ହୁଏ । ସିଂହାସନ ତଳେ ବଳଭଦ୍ର ଠାକୁରଙ୍କ ବାଡ଼ ଆଡ଼େ ଷଷ୍ଠୀ ମାର୍କଣ୍ଡି ଓ ବରୁଣ ପୂଜାର ’ ସୁଧ ସୁଆର କିମ୍ବା ଆସ୍ଥାନ ପଢ଼ିଆରୀ କରନ୍ତି ।ପୂଜାପଣ୍ଡା, ପତି ମହାପାତ୍ର ଓ ନ୍ତମୁଦିରସ୍ତ ଏହି ପୂଜା କରନ୍ତି । ଏହି ନନପୂଜା ଶେଷ ପରେ ଭିତର ପାଣି ପଡ଼ି ଧୋପଖାଳ ହୁଏ ।

ଏହା ପରେ ଦ୍ବିପ୍ରହର ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ । ପୂଜାପଣ୍ଡା ତିନି ଜଣ ଷୋଡଶ ଉପଚାରରେ ପୂଜା କରନ୍ତି । ନମଣୋହି ପରେ ଟେରାଫିଟା ଆଳତି ହୁଏ । ସୁଧ ସୁଆର ବଡ଼ବାଡ଼ (ବଳଭଦ୍ରଙ୍କ ବାଡ଼ରେ ମଙ୍ଗଳାର୍ପଣ ସାମଗ୍ରୀ ରଖନ୍ତି । ପୂଜାପଣ୍ଡା ବଡ଼ ବାଡ଼ରେ ମଙ୍ଗଳାର୍ପଣ କରନ୍ତି । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ଏହା ପରେ ମହାଜନେ ମଦନମୋହନଙ୍କୁ ରତ୍ନ ସିଂହାସନକୁ ବିଜେ କରାନ୍ତି । ପୂଜାପଣ୍ଡା ଆଜ୍ଞାମାଳ ଦେଲା ପରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଝୁଲଣମଣ୍ଡପକୁ ବିଜେ କରନ୍ତି ।ଏହାପରେ ସୁଦର୍ଶନଙ୍କ ବିଜେ ପାଇଁ ଦଇତାପତିମାନଙ୍କୁ ଡକାଯାଏ ।ଦଇତାପତିମାନେ ସିଂହାସନକୁ ଉଠନ୍ତି ।
