ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପୁରୀ ପୋଲିସ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆସନ୍ତା ୨୦ ଏପ୍ରିଲ ୨୦୨୬ ଠାରୁ ନରେନ୍ଦ୍ର ପୁଷ୍କରିଣୀରେ ଆରମ୍ଭ ହେବାକୁ ଯାଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପରିପ୍ରେକ୍ଷିତରେ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଯାତ୍ରାକୁ ସୁସଂଘଟିତ, ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ଆଜି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ନରେନ୍ଦ୍ର ପୁଷ୍କରିଣୀ ଓ ଏହାର ଚତୃପାର୍ଶ୍ଵରେ ବିସ୍ତୃତ ସମୀକ୍ଷା କରାଯାଇଛି। ଏହି ସମୀକ୍ଷା ସମୟରେ ବାହାର ଚନ୍ଦନ ଯାତ୍ରା (୨୧) ଦିନ ଅନୁଷ୍ଠିତ ହେବ । ପାଲିଙ୍କିରେ ରାମକୃଷ୍ଣ ଓ ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ବିଜେ କରି ବିରାଟ ରୋଷଣୀ ଭିତରେ ନରେନ୍ଦ୍ର ଚଳଡ଼ାକୁ ବିଜେ କରିବେ । ଏହାଙ୍କ ସହିତ ପଞ୍ଚ ମହାଦେବ (ଯମେଶ୍ଵର, ମାର୍କଣ୍ଡେୟ, ଲୋକନାଥ, କପାଳମୋଚନ ଓ ନିଳକଣ୍ଠ)ଙ୍କର ବିଜେ ପ୍ରତିମାମାନେ ବିମାନରେ ବିଜେ କରି ନରେନ୍ଦ୍ର ସୁଷ୍କରିଣୀକୁ ଯାତ୍ରା କରିବା ସମୟରେ ଭକ୍ତମାନଙ୍କର ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥାପନ, ଏବଂ ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରିବା ପାଇଁ ବିଭିନ୍ନ ଅଙ୍ଗରେ ଆଲୋଚନା ହୋଇଥିଲା। ଚନ୍ଦନ ଯାତ୍ରା ସମୟରେ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ବହୁ ସଂଖ୍ୟକ ଭକ୍ତମାନଙ୍କ ଆଗମନ ହେବାକୁ ଥିବାରୁ ପାର୍କିଂ ବ୍ୟବସ୍ଥାକୁ ସୁସଂଘଟିତ କରିବା, ନିର୍ଦ୍ଦିଷ୍ଟ ସ୍ଥାନରେ ଯାନ ରଖିବା ପାଇଁ ଚିହ୍ନିତ ପାର୍କିଂ ଜୋନ୍ ସୃଷ୍ଟି କରିବା ଏବଂ ଯାତାୟାତକୁ ସୁଚାଳୁ ରଖିବା ପାଇଁ ଟ୍ରାଫିକ୍ ବ୍ୟବସ୍ଥାକୁ ଶକ୍ତିଶାଳୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଭକ୍ତମାନେ ଯେପରିକି ସୁବିଧାଜନକ ଭାବରେ ଚନ୍ଦନ ଯାତ୍ରାର ନଉକା ବିହାର କରୁଥିବା ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ବିଶେଷ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଲଗା କରାଯିବା ଏବଂ ଆବଶ୍ୟକତାନୁସାରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯିବ। ଏହା ସହିତ ମାଇକିଂ ବ୍ୟବସ୍ଥା, ସୂଚନା ପ୍ରଦାନ କେନ୍ଦ୍ର ଓ ସେବା କ୍ୟାମ୍ପ ସ୍ଥାପନା କରାଯିବାକୁ ଯୋଜନା କରାଯାଇଛି।ସୁରକ୍ଷା ବ୍ୟବସ୍ଥାର ପୋଲିସ ମୁତୟନ କରାଯିବା ସହିତ ସିସିଟିଭି କ୍ୟାମେରା ଦ୍ୱାରା ନିରନ୍ତର ନିରୀକ୍ଷଣ କରାଯିବ। ସନ୍ଦିଗ୍ଧ ବ୍ୟକ୍ତି ଓ କାର୍ଯ୍ୟକଳାପ ଉପରେ କଟକଣା ରଖାଯିବା ସହିତ ଆଣ୍ଟି-ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ। ଫାୟାର ସେଫ୍ଟି ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଅଗ୍ନିଶମ ବିଭାଗ ସହ ସମନ୍ୱୟ ରଖି ଆବଶ୍ୟକ ଅଗ୍ନିନିର୍ବାପଣ ସାମଗ୍ରୀ ଓ ଫାୟାର ଓ ଜରୁରୀକାଳୀନ ସେବା ସଜାଗ ରଖାଯିବ। ଜଳସୁରକ୍ଷା ପାଇଁ ନଉକା ବିହାର ସମୟରେ ଲାଇଫ ଜାକେଟ୍, ଲାଇଫ ଗାର୍ଡ ଓ ରେସ୍କ୍ୟୁ ଟିମ୍ ନିଯୁକ୍ତ ହେବେ। ବରିଷ୍ଠ ନାଗରିକ, ମହିଳା ଓ ଶିଶୁମାନଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯିବ। ସିନିୟର ସିଟିଜେନ୍‌ମାନଙ୍କ ପାଇଁ ଅଲଗା ବସିବା ବ୍ୟବସ୍ଥା, ସହଜ ଆଗମନ-ପ୍ରସ୍ଥାନ ସୁବିଧା ଓ ସାହାଯ୍ୟ କେନ୍ଦ୍ର ସ୍ଥାପନା କରାଯିବ। ଭକ୍ତମାନଙ୍କ ପାଇଁ ପାଣି, ଚିକିତ୍ସା ସହାୟତା ଓ ସ୍ୱଚ୍ଛତା ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯିବ। ଏହି ସ୍ଥଳ ପରିଦର୍ଶନ ଓ ସମୀକ୍ଷା ସମୟରେ ସିଟି ଡିଏସ୍ପି, ଟ୍ରାଫିକ୍ ଡିଏସ୍ପି, ଟାଉନ୍ ଥାନା ଆଇଆଇସି, କୁମ୍ଭାରପଡା ଥାନା ଆଇଆଇସି ଓ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ବ୍ୟବସ୍ଥାକୁ ନିକଟରୁ ଅନୁଧ୍ୟାନ କରିଥିଲେ। ପୁରୀ ପୋଲିସ ପକ୍ଷରୁ ସମସ୍ତ ଭକ୍ତମାନଙ୍କୁ ଅନୁରୋଧ ଯେ, ଚନ୍ଦନ ଯାତ୍ରା ସମୟରେ ପୋଲିସ ଓ ପ୍ରଶାସନଙ୍କ ନିର୍ଦ୍ଦେଶନାମାନଙ୍କୁ ପାଳନ କରି ସହଯୋଗ କରନ୍ତୁ, ଯାହା ଫଳରେ ଏହି ପବିତ୍ର ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁସଂଘଟିତ ଭାବେ ସମ୍ପନ୍ନ କରାଯାଇପାରିବ।ଆଗାମୀ ଦିନରେ ଚନ୍ଦନ ଯାତ୍ରାକୁ ଆହୁରି ସୁସଂଘଟିତ, ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ ପୁରୀ ପୋଲିସ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛି। ଏଥିସହ ୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ସେହିପରି ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡ଼ିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ୨୦ ଜଣ ଏଏସଆଇ/ଏସଆଇଙ୍କ ସମେତ ୫୮ଜଣ ହୋମ ଗାର୍ଡ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *