ଓଡିଶା ପ୍ରଜାତନ୍ତ୍ରର ୭୭ତମ ଜନ୍ମବାର୍ଷିକୀ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶାପ୍ରଜାତନ୍ତ୍ରର ୭୭ତମ ଜନ୍ମବାର୍ଷିକୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣଭୁବନେଶ୍ୱର୦୯.୦୮.୨୦୨୪ଆଜି କ୍ରାନ୍ତି ଦିବସ। ଏହି ମହାନ୍ ଅବସରରେ ସ୍ଵାଧୀନତା ସଂଗ୍ରାମର ମହାନାୟକ ମାନଙ୍କୁ ମୁଁ କୃତଜ୍ଞତା ର ସହିତ ମନେ ପକାଉଛି, ଯେଉଁମାନେ ଦେଶ ପାଇଁ ଆତ୍ମ ବଳିଦାନ ଦେଇଥିଲେ।ଆଜି ଓଡ଼ିଶାର ଅନ୍ୟତମ ପ୍ରାଚୀନ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ ନିଜର ସତସ୍ତରି-ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରୁଛି ଓ ଏଥିରେ ଯୋଗ ଦେବା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ଏହି ଅବସରରେ ଅନେକ ସ୍ମୃତି ମନକୁ ଆନ୍ଦୋଳିତ କରୁଛି। ଓଡ଼ିଆ ଜାତିର ଗତି, ପ୍ରଗତି, ଅର୍ଥନୈତିକ ଓ ସାମାଜିକ ବିକାଶ, ଲୋକସମସ୍ୟାର ଉତଥାପନ ଆଦି କ୍ଷେତ୍ରରେ ପ୍ରଜାତନ୍ତ୍ର ଭଳି ଏକ ସମ୍ୱାଦପତ୍ରର ଭୂମିକା ଯେ କେତେ ଗୁରୁତ୍ବପୂର୍ଣ୍ଣ ରହିଆସିଛି, ସେସମ୍ପର୍କରେ ଯେତେ କହିଲେ କମ୍ ହେବ।ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପରିକଳ୍ପନା ଥିଲା ଓଡ଼ିଆ ଲୋକଙ୍କ ସମସ୍ୟାକୁ ବ୍ରିଟିଶ ସରକାରଙ୍କ ଦୃଷ୍ଟିକୁ ଆଣିବା ଏବଂ ଓଡ଼ିଶାରେ ଗାନ୍ଧୀ ଦର୍ଶନର ପ୍ରଚାର ଓ ପ୍ରସାର କରିବା। ୧୯୨୪ ଅକ୍ଟୋବର ରେ ଡକ୍ଟର ମହତାବ ଲେଖିଥିଲେ – “ପ୍ରଜାତନ୍ତ୍ର କେବେ ହେଁ କାହାର ଖୋସାମତ କରିବ ନାହିଁ କିମ୍ବା ସତ୍ୟରୁ ବିଚଳିତ ହେବ ନାହିଁ “। ଗୋଟିଏ ସମ୍ବାଦପତ୍ରର ଭୂମିକାକୁ ଏହିଭଳି ସରଳ ଭାଷାରେ ପ୍ରକାଶ କରିଥିଲେ ଡକ୍ଟର ମହତାବ। ପ୍ରତ୍ୟେକ ସମୟରେ ସମ୍ବାଦପତ୍ରର ଲକ୍ଷ୍ୟ ଓ ଭୂମିକା ଏହିଭଳି ହେବା ଉଚିତ୍। ବେସାଲିସ, ସ୍ପଷ୍ଟ, ଲୋକାଭିମୁଖୀ ଓ ସତ୍ୟାଶ୍ରୟୀ।ମହାତ୍ମା ଗାନ୍ଧୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ପ୍ରକାଶ ପାଇଥିଲା ପ୍ରଜାତନ୍ତ୍ର। ୧୯୨୩ ରୁ ୧୯୩୨ ଭିତରେ ପ୍ରଜାତନ୍ତ୍ର ଗ୍ରହଣ କରିଥିଲା ବିପ୍ଲବୀର ଭୂମିକା। ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠଭୂମି ଉପରେ ଲୋକ ସଚେତନତା ସୃଷ୍ଟି କରିବାରେ ପ୍ରଜାତନ୍ତ୍ର ପାଲଟିଥିଲା ତତ୍କାଳୀନ ଓଡ଼ିଶାରେ ସଂଗ୍ରାମୀମାନଙ୍କର ପ୍ରମୁଖ ପ୍ରେରଣା। ସଂପାଦକୀୟ ରେ ପ୍ରକାଶ ପାଉଥିଲା ଗ୍ରାମ ପଞ୍ଚାୟତ, ଦେଶ ମିଶ୍ରଣ, ଜାତୀୟ ଶିକ୍ଷା, ରାଜବନ୍ଦୀ, ଦୁର୍ଭିକ୍ଷ ଓ ତାର ନିରାକରଣ, ସ୍ଵରାଜ୍ୟ, ଉତ୍କଳ ସମ୍ମିଳନୀ ଉପରେ ଆଲେଖ୍ୟ। ଏଥି ସହିତ ବିଧବା ବିବାହ, ଛୁଆଁ ଅଛୁଆଁ ଭେଦଭାବ, ମାଦକ ଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ମଧ୍ୟ ପ୍ରଜାତନ୍ତ୍ର ହିଁ ସୃଷ୍ଟି କରିଥିଲା ଅଭୂତପୂର୍ବ ସଚେତନତା। ପ୍ରଜାତନ୍ତ୍ରର ବିପ୍ଳବୀ ଭୂମିକାକୁ ଲକ୍ଷ୍ୟ କରି ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ଲେଖିଥିଲେ – “ପ୍ରଜାତନ୍ତ୍ର ଅତ୍ୟାଚାର ବିରୁଦ୍ଧରେ ପ୍ରଜାଙ୍କ ପକ୍ଷ ସମର୍ଥନ କରୁଛି, ସେହିପରି କରୁଥାଉ”। ଓଡ଼ିଆ ଲୋକଙ୍କ ପ୍ରାଣକୁ ଛୁଉଁଥିଲା ପ୍ରଜାତନ୍ତ୍ର ଏବଂ ସ୍ବାଧିନତା, ସ୍ବରାଜ ତଥା ସମାଜ ସଂସ୍କାର ଦିଗରେ ପ୍ରଜାତନ୍ତ୍ରର ସିଂହନାଦ ଅବଦମିତ ପ୍ରଜାଙ୍କ ଭିତରେ ସୃଷ୍ଟି କରିଥିଲା ଅପୂର୍ବ ଜାଗରଣ।କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରଜାତନ୍ତ୍ରର ଭୂମିକାକୁ ଏମିତି ବର୍ଣ୍ଣନା କରିଥିଲେ –କି କ୍ଷଣେ ଜନମ ଲଭି ଶ୍ମଶାନର କୋଳେ ନିର୍ଜୀବ ମୂମୂର୍ଷୁ ପ୍ରାଣେ କରିଲା ଅର୍ପଣ,ସଂଜୀବନୀ ସୁଧା ଆଣି ନବଜାଗରଣପ୍ରଜାତନ୍ତ୍ର ଯୁଗବାଣୀ ପରାୟେ ଉତ୍କଳେସ୍ୱାଧୀନତା ସଂଗ୍ରାମର ଝଡଝଞ୍ଜା ଭିତରେ ବିପ୍ଳବ ଓ ବିବେକର ଆଲୋକ ବର୍ତିକା ପ୍ରଜାତନ୍ତ୍ର ହେଲା ଉପନିବେଶ ଶକ୍ତିଙ୍କ ରୋଷ ଓ କ୍ରୋଧର ଶିକାର। ଏହି ମହାନ୍ ଖବରକାଗଜ ବନ୍ଦ ହୋଇଗଲା କିଛି ବର୍ଷ ପାଇଁ। ଡକ୍ଟର ମହତାବ ନିକ୍ଷେପିତ ହେଲେ କାରାଗାରରେ।୧୯୪୭ ରେ ଠିକ୍ ସ୍ବାଧୀନତାର ଅବ୍ୟବହିତ ପୂର୍ବରୁ ଅର୍ଥାତ ସ୍ଵାଧୀନତା ପ୍ରାପ୍ତିର ମାତ୍ର ସପ୍ତାହକ ପୂର୍ବରୁ ପୁଣି ପ୍ରକାଶ ପାଇଲା ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସମ୍ବାଦ ଓ ଅସ୍ମିତାର ପ୍ରତିନିଧି ପ୍ରଜାତନ୍ତ୍ର। ଦେଶ ସ୍ବାଧୀନ ହୋଇଥିଲା, ଭୂମି ଓ ଭୂମିକା ବଦଳିଥିଲା। କିନ୍ତୁ, ଯାହା ଅପରିବର୍ତ୍ତନୀୟ ରହିଥିଲା, ତାହା ହେଉଛି ଲୋକସମସ୍ୟାର ଉତଥାପନ ଓ ସତ୍ୟର ପ୍ରକାଶ। ଓଡ଼ିଶାରେ ନବନିର୍ମାଣର ଯୁଗ ଆରମ୍ଭ ହୋଇଥିଲା। ଡକ୍ଟର ମହତାବ ଏହି ନିର୍ମାଣର ଥିଲେ ଅନ୍ୟତମ ପ୍ରମୁଖ ବିନ୍ଧାଣୀ। କିନ୍ତୁ, ପ୍ରଜାତନ୍ତ୍ର ଜନସମସ୍ୟା ଉତଥାପନରେ ପୂର୍ବ ଭଳି ଅଗ୍ରଣୀ ଭୂମିକା ନେଉଥିଲା। ୧୯୫୪ ର ମରୁଡି, ୧୯୫୫ ର ବନ୍ୟା, ସୀମା ଆନ୍ଦୋଳନ, ୧୯୬୪ ର ଛାତ୍ର ଆନ୍ଦୋଳନର ଖବର ସହିତ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂରେଇବାରେ ଲାଗିପଡିଥିଲା ପ୍ରଜାତନ୍ତ୍ର। ମୀନାବଜାର, ରୂପ ରସ ଛନ୍ଦ ଆଦି ସ୍ତମ୍ଭ ସହିତ ଡ଼ାଇଜେଷ୍ଟ ପ୍ରତିଭା, ଇଂରାଜୀ ଖବରକାଗଜ ଇଷ୍ଟର୍ଣ ଟାଇମସ, ସାହିତ୍ୟ ପତ୍ରିକା ଝଙ୍କାର ଓ ପ୍ରଜାତନ୍ତ୍ର ସାପ୍ତାହିକୀ ଆଦି ପ୍ରକାଶ ପାଇ ଅଭୂତପୂର୍ବ ଲୋକପ୍ରିୟତା ପାଇଥିଲା। ପବିତ୍ର ବିଷୁବ ସଂକ୍ରାନ୍ତିରେ ସାହିତ୍ୟିକ ମାନଙ୍କ ବିଷୁବ ମିଳନ ଏକ ମହାନ୍ ବାର୍ଷିକ ଉତ୍ସବରେ ପରିଣତ ହୋଇଥିଲା। ଡକ୍ଟର ମହତାବ ଙ୍କ ” ଗାଁ ମଜଲିସ ” କେବଳ ପାଠକୀୟ ଆଦୃତି ପାଇ ନ ଥିଲା, ଏହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲା। ପ୍ରଜାତନ୍ତ୍ର ଆଜି ପର୍ଯ୍ୟନ୍ତ ନିଜ ସ୍ଵତନ୍ତ୍ରତା ଓ ମର୍ଯ୍ୟାଦା ବଜାୟ ରଖି ଆସିଛି। କୁହାଯାଏ ଯେ, ଗୋଟିଏ ସମ୍ବାଦପତ୍ର ହେଉଛି, ରାଷ୍ଟ୍ରର ନିଜ ନାଗରିକଙ୍କ ସହିତ ବାର୍ତ୍ତାଳାପ। ଡକ୍ଟର ମହତାବଙ୍କ ସୁଯୋଗ୍ୟ ପୁତ୍ର ଶ୍ରୀ ଭର୍ତୃହରି ମହତାବ ପ୍ରଜାତନ୍ତ୍ରକୁ ଆହୁରି ଉଚ୍ଚକୁ ନେଇଛନ୍ତି। ପ୍ରଜାତନ୍ତ୍ରର ଅର୍ଥ ହେଉଛି ଗଣତନ୍ତ୍ର। ଲୋକଙ୍କ ପାଇଁ ସମ୍ବାଦପତ୍ର। ଆମ ସରକାର ଲୋକଙ୍କ ସରକାର। ଖବରକାଗଜ ଗୁଡିକରେ ଲୋକମତର ସଠିକ୍ ପ୍ରତିଫଳନ ହେଲେ ସରକାର ମଧ୍ୟ ଅଧିକ ସକ୍ରିୟ ଓ ଲୋକାଭିମୁଖୀ ହୋଇପାରିବେ। ଏଥିପାଇଁ ସମ୍ବାଦପତ୍ରକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ପ୍ରଜାତନ୍ତ୍ର ସହିତ ସଂପୃକ୍ତ ସମସ୍ତ ବ୍ୟକ୍ତିବିଶେଷ, ସମ୍ପାଦନା ମଣ୍ଡଳୀ, ପାଠକ ଓ ପୃଷ୍ଠପୋଷକ ମାନଙ୍କୁ ଏହି ଅବସରରେ ବହୁତ୍ ବହୁତ୍ ଶୁଭେଚ୍ଛା ଜଣାଉଛି।
